ଓଡ଼ିଶାଲାଇଭ୍ ବ୍ୟୁରୋ

‘ମୋଦୀ’ ସରନେମ ଉପରେ ଦେଇଥିବା ବୟାନ ରାହୁଲ ଗାନ୍ଧୀଙ୍କୁ ଭାରି ପଡ଼ିଛି। ଏହି ମାମଲାରେ ଗୁରୁବାର ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ନିଜ ସାଂସଦ ପଦ ହରାଇବାକୁ ପଡ଼ିଛି। ଏବେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ଏନେଇ ଶୁକ୍ରବାର ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ଦିନଠାରୁ ଅର୍ଥାତ ମାର୍ଚ୍ଚ ୨୩ ତାରିଖରୁ ତାଙ୍କ ସାଂସଦ ପଦ ରଦ୍ଦ ହୋଇଥିବାର କୁହାଯାଇଛି। ଭାରତୀୟ ଜନପ୍ରତିନିଧି ନିୟମ ୧୯୫୧ର ଅନୁଚ୍ଛେଦ ୮ ଅନୁସାରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି।

୨୦୧୯ ମସିହାରେ କର୍ଣ୍ଣାଟକର କୋଲାରଠାରେ ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ ‘ମୋଦୀ’ ସରନେମକୁ ନେଇ ବୟାନ ଦେଇଥିଲେ।  ଏହାକୁ ନେଇ ସୁରଟ ସେସନ୍ସ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ।

ଏହି ମମାଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଥିଲେ ସୁଦ୍ଧା ସେ ନିଜ ସାଂସଦ ପଦ ହରାଇଛନ୍ତି। ଏହା ରାହୁଲଙ୍କ ରାଜନୈତିକ କ୍ୟାରିୟର ସହ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି।

ଅନ୍ୟପଟେ ରାହୁଲଙ୍କ ମାମଲାର ସମୀକ୍ଷା କରିବା ପାଇଁ ଶୁକ୍ରବାର କଂଗ୍ରେସ ମୁଖ୍ୟାଳୟରେ ଏକ ଜରୁରୀକାଳୀନ ବୈଠକ ବସିବ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହାର ଅଧ୍ୟକ୍ଷତା କରିବେ।

Tags: #RahulGandhi #DefamationCase #ParlimentMembership #Congress #EmergencyMeeting #CongressPresident

Comment