ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ପରିବର୍ତ୍ତୀତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ବର୍ତ୍ତମାନ ମଧୁମେହା ବା ଡାଇବେଡିଟ୍ ସମସ୍ୟା ଦେଖାଦେଉଛି। ଘରେ ଘରେ ଏବେ ଜଣେ ଦୁଜର ମଧୁମେହ ରୋଗୀ ଥିବା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି।

ଔଷଧ ଖାଇ ଡାଏବେଟିସ୍‌ ରୋଗୀକୁ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟକର ଜୀବନଶୈଳୀର ଆବଶ୍ୟକତା ରହିଛି।

ଆମଶରୀରରେ ଯେତେବେଳେ ଇନସୁଲିନର ମାତ୍ରାରେ କିଛି ଅନିୟମିତା ଦେଖାଯାଏ ବା ଏହାର କ୍ଷରଣ ବନ୍ଦ ହୋଇଯାଏ ସେତେବେଳେ ରକ୍ତରେ ଶର୍କରା ବା ସୁଗାରର ମାତ୍ରା ବଢ଼ିଯାଇଥାଏ। ଏହି ଅବସ୍ଥାକୁ ଡାଇବେଟିସ୍‌ ବା ମଧୁମେହ କୁହାଯାଏ। ଜଣେ ମଧୁମେହ ରୋଗୀ ବିଭିନ୍ନ ରୋଗରେ ପୀଡ଼ିତ ହେବାର ଅଧିକ ସମ୍ଭବନା ରହିଛି। ଖାସ କରି ଡାଏବେଟିସ ରୋଗୀଙ୍କର ଚକ୍ଷୁ ସମସ୍ୟା ଦେଖାଯାଏ ବୋଲି କୁହନ୍ତି ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ବେହେରା।

ଡାଏବେଟିସ୍ ୪ ପ୍ରକାରର। ଟାଇପ୍ ୧, ଟାଇପ୍ ୨, ସେକେଣ୍ଡାରୀ ଏବଂ ଜେଷ୍ଟେସନାଲ। ମୁଖ୍ୟତଃ ସାନ ଛୋଟ ପିଲାଙ୍କଠାରେ ଟାଇପ୍‌ ୧ ଡାଇବେଟିସ୍‌ ଦେଖାଯାଇଥାଏ।

ଟାଇପ୍‌ ୨ ଡାଏବେଟିସ୍ ବୟସ୍କ ବା ପ୍ରାପ୍ତ ବୟସଙ୍କଠାରେ ଦେଖାଯାଏ। କୌଣସି ରୋଗ ପରେ ଦେଖାଦେଉଥିବା ଡାଇବେଟିସକୁ ସେକେଣ୍ଡାରୀ ଡାଇବେଟିସ କୁହାଯାଏ। ସେହିପରି ଗର୍ଭାବସ୍ଥାରେ ହେଉଥିବା ଡାଏବେଟିସ୍‌କୁ ଜେଷ୍ଟେସନାଲ ଡାଏବେଟିସ୍‌ କୁହାଯାଏ।

ଡାଏବେଟିସରୁ ମୁଖ୍ୟତଃ ଉଚ୍ଚ ରକ୍ତଚାପ, ହୃଦଘାତ, କିଡନୀ ରୋଗ, ନ୍ୟୁରୋ, ଆଖି ଏବଂ ରକ୍ତନଳୀଜନିତ ବିଭିନ୍ନ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ। ଗୋଟିଏ ରୋଗରୁ ଏମିତି ଅନେକ ରୋଗର ଜନ୍ମ। ୧୦୦ ଜଣ ଡାଇବେଟିସ ରୋଗୀଙ୍କ ମଧ୍ୟରେ ୧୨ ଜଣଙ୍କ ଆଖି ସମସ୍ୟା ଦେଖାଦେଇଥାଏ।

“ଡାଏବେଟିସ୍ ଥିଲେ ଏହା ଆଖିକୁ ପ୍ରଭାବିତ କରିପାରେ। ଅନେକ ସମୟରେ ଏହା ଜଟିଳ ଚକ୍ଷୁ ସମସ୍ୟାର କାରଣ ମଧ୍ୟ ହୋଇପାରେ। ଡାଏବେଟିସ୍ ରୋଗୀଙ୍କଠାରେ ଦେଖାଯାଉଥିବା ଚକ୍ଷୁ ସମସ୍ୟାକୁ ଡାଏବେଟିକ ରେଟିନୋପାଥି ବୋଲି କୁହାଯାଏ। ଠିକ୍ ସମୟରେ ଏହି ସମସ୍ୟାକୁ ଚିହ୍ନଟ କରି ଚିକିତ୍ସା କରାନଗଲେ ଜଣେ ରୋଗୀ ଦୃଷ୍ଟିହୀନତାର ଶିକାର ହେବାର ସମ୍ଭାବନା ରହିଛି। ତେଣୁ ଡାଏବେଟିସ ରୋଗୀ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରିବା ଆବଶ୍ୟକ”, କହନ୍ତି ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ବେହେରା।

Tags: #EyeProblem #Diabetes #HealthProblem #ଡାଏବେଟିସ୍‌ #ଜଟିଳଚକ୍ଷୁସମସ୍ୟା #Diabetes&EyeProblems #Symptomsof Diabetic #Retinopathy #Treatment #EyeCheckups

Comment