ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼): ଦଶମାସ ଗର୍ଭରେ ଧରି ଯେଉଁ ପୁଅକୁ ଜନ୍ମ ଦେଇଥିଲା, ସେଇ ପୁଅ ନିଶାଗ୍ରସ୍ତ ହୋଇ ମା’ର ଜୀବନ ନେଇଗଲା। ଏଭଳି ଅମାନୁଷିକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁରେ। ବୃଦ୍ଧା ମା’ ପାନ ଭୁଏର ତଣ୍ଟି ଚିପି ହତ୍ୟା କରିବା ପରେ ଗିରଫ ହୋଇଛି ସଇତାନ ପୁଅ କାର୍ତ୍ତିକ ଭୁଏ।

ପିପିଲିପାଲି ଗାଁରେ ବିବାହ କରିଥିଲେ ପାନ ଭୁଏ। ପରେ ସେ ୪ ପୁଅ ଏବଂ ଦୁଇଟି ଝିଅଙ୍କୁ ଜନ୍ମ ଦେଇଥିଲେ। ସ୍ଵାମୀଙ୍କର ଦେହାନ୍ତ ପରେ ଦୁଃଖ କଷ୍ଟରେ ୬ଟି ପିଲାଙ୍କୁ ବଡ଼ କରିଥିଲେ ପାନ। ୩ ପୁଅ ଓ ୨ ଝିଅଙ୍କର ବିବାହ କରାଇଥିଲେ। ସାନ ପୁଅ କାର୍ତ୍ତିକ ଅବିବାହିତ ଥିଲା। ତିନି ପୁଅ ବିବାହ ପରେ ଅଲଗା ରହୁଥିବାରୁ ସାନପୁଅ ପାଖରେ ପାନ ରହୁଥିଲେ।

କିଛି ଦିନ ହେଲା ପାନ ଭୁଏ କିଡନୀ ରୋଗରେ ପୀଡ଼ତ ହୋଇ ଚିକିତ୍ସିତ ହେଉଥିଲେ। କୌଣସି ରୋଜଗାର ନଥିବାରୁ ମା’ର ଚିକିତ୍ସାକୁ ଖର୍ଚ୍ଚକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲା କାର୍ତ୍ତିକ। ମଦ ପିଇ ବୁଢ଼ି ମା’ ସହ ଝଗଡ଼ା କରୁଥିଲା ସେ। ଶନିବାର ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ମା’ ସହ ଝଗଡ଼ା କରିବା ପରେ ମା’ର ତଣ୍ଟି ଚିପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଜୀବନ ହରାଇ ଥିଲେ ପାନ ଭୁଏ।

ଘଟଣା ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ବରଗଡ଼ ସଦର ଥାନା ପୋଲିସ ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମା’ର ତଣ୍ଟିଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ଵୀକାର କରିଛି ଅଭିଯୁକ୍ତ କାର୍ତ୍ତିକ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tags: #MurderCase #Bargarh #SonKilledMother #PoliceInvestigation

Comment