ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି ୨,୫୮୫ ଜଣ ଅଗ୍ନିବୀର। ଏଥିଲାଗି ଓଡ଼ିଶାରେ ଥିବା ଆଇଏନଏସ୍ ଚିଲିକାରେ ଆୟୋଜିତ ହୋଇଯାଇଛି। ଅଗ୍ନିବୀରଙ୍କ ପ୍ରଥମ ପାସିଂ ଆଉଟ୍ ପ୍ୟାରେଡ୍। ଏହି ପ୍ୟାରେଡରେ ନୌସେନା ଅଧ୍ୟକ୍ଷ ଆଡମିରାଲ୍ ଆର୍ ହରି କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ମଙ୍ଗଳବାର ଆଇଏନଏସ୍ ଚିଲିକାରେ ଅଗ୍ନିବୀରଙ୍କ ଦ୍ଵାରା ପ୍ୟାରେଡ୍ କରାଯାଇଥିଲା। ନୌସେନା ଅଧ୍ୟକ୍ଷ ଏହି ପ୍ୟାରେଡ୍ ପରିଦର୍ଶନ କରିଥିଲେ। ଏଠାରେ ଅଗ୍ନିବୀରଙ୍କ ଦ୍ଵାରା ନୌସେନା ଅଧ୍ୟକ୍ଷଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ସେ ପ୍ରଶିକ୍ଷଣରେ ଭଲ ପ୍ରଦର୍ଶନ କରିଥିବା ଅଗ୍ନିବୀରଙ୍କୁ ପୁରସ୍କୃତ କରିଥିଲେ। ଏଠାରେ ନୌସେନାରେ ସାମିଲ ହେବା ପାଇଁ ଅଗ୍ନିବୀର ଶପଥ ପାଠ କରିଥିଲେ।
ପୂର୍ବବର୍ଷ ଭାରତୀୟ ନୌସେନାରେ ସାମିଲ ହେବା ପାଇଁ ୨,୫୮୫ ଜଣ ଅଗ୍ନିବୀରଙ୍କ ଚୟନ କରଯାଇଥିଲା। ଏଥିରେ ୨୭୩ ମହିଳା କ୍ୟାଡେଟ୍ ମଧ୍ୟ ସାମିଲ ହୋଇଥିଲେ। ନୌସେନା ପାଇଁ ଚୟନ ହେବାପରେ ସେମାନଙ୍କୁ ଆଇଏନଏସ୍ ଚିଲିକାରେ ୪ ମାସ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଶିକ୍ଷଣ ସରିବା ପରେ ମଙ୍ଗଳବାର ସେମାନେ ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି।
ଭାରତୀୟ ସେନାରେ ସୈନିକ ଭର୍ତ୍ତି ପାଇଁ ୨୦୨୨ରେ ଅଗ୍ନିବୀର ଯୋଜନା ଲାଗୁ ହୋଇଥିଲା। ତେବେ ଏହି ୨,୫୮୫ ଜଣ ସୈନିକ ଅଗ୍ନିବୀର ଯୋଜନାରେ ନୌସେନାରେ ସାମିଲ ହୋଇଥିବା ପ୍ରଥମ ବ୍ୟାଚ୍ ଅଟନ୍ତି।
ମଙ୍ଗଳବାର ଆଇଏନଏସ୍ ଚିଲିକାରେ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପ୍ୟାରେଡରେ ଭାରତୀୟ ଅଲିମ୍ପିକ ସଂଘର ସଭାପତି ପି ଟି ଉଷା ଓ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ ଅତିଥି ଭାବେ ଯୋଗ ଦେଇଥିଲେ। ଏହାଛଡ଼ା ଏହି କାର୍ଯ୍ୟକ୍ରମରେ ଭାରତୀୟ ନୌସେନାର ଅନେକ ବରିଷ୍ଠ ଅଧିକାରୀ ଓ ଅଗ୍ନିବୀରଙ୍କ ପରିବାର ବର୍ଗ ସାମିଲ ହୋଇଥିଲେ।
Tags: #IndianNavy #Agniveer #PassingOutParade #INSChilka



















