ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଶନିବାର ପୋଲିସ ସବ୍ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଆୟୋଜିତ ହୋଇଛି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସେ କାର୍ଯ୍ୟରେ ଯୋଗ ଦେବାକୁ ଥିବା ସଶସ୍ତ୍ର ପୋଲିସ ସବ୍ ଇନ୍ସପେକ୍ଟରଙ୍କ ପ୍ୟାରେଡ୍ ପରିଦର୍ଶନ କରିଥିଲେ।
“ଆଜି ଓଡ଼ିଶାର ୧୧୩ ଜଣ ସଶସ୍ତ୍ର ପୋଲିସ ସବ୍ ଇନ୍ସପେକ୍ଟରଙ୍କ ସେମାନଙ୍କ ପ୍ରଶିକ୍ଷଣ ପୂର୍ଣ୍ଣ କରି କାର୍ଯ୍ୟରେ ଯୋଗ ଦେବାକୁ ଯାଉଛନ୍ତି। ଏବେ ସେମାନଙ୍କୁ କଠିନରୁ କଠିନ ଆହ୍ଵାନ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ପୋଲିସ ସେବାରେ ନିଜର ବ୍ୟକ୍ତିଗତ ଜୀବନରୁ ଅନେକ ତ୍ୟାଗ ଦେବାକୁ ପଡ଼ିଥାଏ। ସାଧାରଣ ନାଗରିକ, ଆମର ମା’, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ପୋଲିସଙ୍କ ଉପରେ ନିର୍ଭର କରେ। ଏହି ସେବାକୁ ଜନସାଧାରଣଙ୍କ ଲାଗି ଉତ୍ସର୍ଗୀକୃତ ସେବାର ଏକ ପ୍ରତୀକ ଭାବେ ପ୍ରତିଫଳିତ କରିବା ପାଇଁ ଆପଣମାନଙ୍କୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ଆହୁରି ମଧ୍ୟ କହିଛନ୍ତି, “ଏକାଡେମୀର ମୌଳିକ ତାଲିମ ଜରିଆରେ ଅଧିକାରୀମାନେ ଯଥେଷ୍ଟ ବୃତ୍ତିଗତ ଜ୍ଞାନ କୌଶଳ ଓ ଦକ୍ଷତା ହାସଲ କରିଛନ୍ତି। ଏହା ସେମାନଙ୍କୁ ଦୈନନ୍ଦିନ ସେବାରେ ଖୁବ୍ ସହାୟକ ହେବ। ସୁରକ୍ଷା ବଳଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆପଣମାନଙ୍କୁ ଦୃଢ ନେତୃତ୍ୱ ଓ ପରିଚାଳନାଗତ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ରକ୍ଷା ଓ ମାଓ ମୁକାବିଲା କ୍ଷେତ୍ରରେ ସହିଦ ହୋଇଥିବା ପୋଲିସ୍ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହ ରାଜ୍ୟରେ ପୋଲିସ ବ୍ୟବସ୍ଥାର ଆଧୁନିକୀକରଣ ଓ ସଂସ୍କାର ଉପରେ ଗୁରୁତ୍ଵାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ସାଇନି ଏସ୍ ଓ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ।
Tags: #BijuPatnaikStatePoliceAcademy #CMMohanCharanMajhi #PassingOutParade #SubInspectors #OdishaPolice