ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜାପାନ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗ ଦେବେ। ଏହାସହ ସେ ଓସକା ଓ କ୍ୟୋଟୋ ଭଳି ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଜାପାନ ଯିବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଜାପାନର ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ଏହି ଗସ୍ତର ଲକ୍ଷ୍ୟ ରହିଛି। ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ଜାପାନର କେତେକ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ। ଏହି ଗସ୍ତବେଳେ ସେ କ୍ୟୋଟୋରେ ଜାପାନୀ ଶିଳ୍ପପତି ଓ ନିବେଶକଙ୍କ ସହ ଏକ ବୈଠକ କରିବେ। ଏଠାରେ ଓଡ଼ିଶାର ଶିଳ୍ପ ସହ ପର୍ଯ୍ୟଟନର ବିକାଶ ଓ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗକୁ ନେଇ ଅଲୋଚନା କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଗସ୍ତରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସଚିବ ମନୋଜ ମିଶ୍ର ଓ ଇପିକଲର ପରିଚାଳନା ନିର୍ଦେଶକ ଭୂପେନ୍ଦ୍ର ପୁନିଆ ପ୍ରମୁଖ ଜାପାନ ଗସ୍ତ କରିବେ।

ଅନ୍ୟପଟେ ୫-ଟି ସଚିବ ଭି କେ ପାଣ୍ଡିଆନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍ ଭିନିଲକ୍ରୀଷ୍ଣା ରାଜ୍ୟର ବିଭିନ୍ନ ଶିଳ୍ପର ଏକ ବାଣିଜ୍ୟିକ ଦଳକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଯିବେ। ଏହି ଦଳର ପ୍ରତିନିଧିମାନେ ଜାପାନର କିମିଟ୍ସୁ ଓ ନିପନ ଷ୍ଟିଲ ପ୍ଳାଣ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନକୁ ପରିଦର୍ଶନରେ ଯିବେ।

ଜାପାନ ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ସୋମବାର ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀରୁ ସେ ଜାପାନ ଅଭିମୁଖେ ଯାତ୍ରା କରିବେ। ସେହିଭଳି ମୁଖ୍ୟମନ୍ତ୍ରୀ ଏପ୍ରିଲ ୧୧ ତାରିଖରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ଭାବେ ଦୟିତ୍ଵ ବହନ କରିବା ପରଠାରୁ ନବୀନ ପଟ୍ଟନାୟକଙ୍କ ଏହା ତୃତୀୟ ବିଦେଶ ଯାତ୍ରା। ଏହାପୂର୍ବରୁ ସେ ୨୦୧୨ ମସିହାରେ ଲଣ୍ଡନ ଗସ୍ତରେ ଯାଇଥିଲେ। ଏହାର ୧୦ ବର୍ଷ ପରେ ପୂର୍ବ ବର୍ଷ ଜୁନ ମାସରେ ମୁଖ୍ୟମନ୍ତ୍ରୀ ଇଟାଲି ଓ ଦୁବାଇ ଗସ୍ତରେ ଯାଇଥିଲେ।

Tags: #CmNaveenPatnaik #JapanVisit #Investment #Industry #BusinessLeaders #Odisha

Comment