ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ଏମ୍ସରେ ରୋଗୀ ଓ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଏବେ ମିଳିବ ମିଲେଟ୍ସ ଜାତୀୟ ଖାଦ୍ୟ। ସୋମବାର ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଆଶୁତୋଷ ବିଶ୍ଵାସ ଏହି ମିଲେଟ୍ ଯୁକ୍ତ ଖାଦ୍ୟର ଶୁଭାରମ୍ଭ କରିଥିଲେ। ଏନେଇ ଏମ୍ସ ଭୁବନେଶ୍ଵର ପକ୍ଷରୁ ସୂଚନା ଦିଆଯାଇଛି।

ଏମ୍ସରେ ଉତ୍କଳ ଦିବସ ଓ ଜି-୨୦ ଜନ ଭାଗୀଦାରୀ କାର୍ଯ୍ୟକ୍ରମ ପାଳନ ଅବସରରେ ଏହି ମିଲେଟ୍ସ ଖାଦ୍ୟର ବଣ୍ଟନ ଆରମ୍ଭ ହୋଇଛି। ଡାକ୍ତର ଆଶୁତୋଷ ବିଶ୍ଵାସ ପ୍ରଥମେ ରୋଗୀମାନଙ୍କୁ ଏହି ଖାଦ୍ୟ ବାଣ୍ଟିଥିଲେ। ଏହାପରେ ସେ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ।

“ଆମେ ଏମ୍ସରେ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟ୍ସ ସାମିଲ କରିଛୁ। ମୋର ବିଶ୍ୱାସ ଏହା ରୋଗୀଙ୍କ ସ୍ଵାସ୍ଥ୍ୟପକ୍ଷେ ହିତକର ହେବ।  ସେହିଭଳି ଆମ ଛାତ୍ରଛାତ୍ରୀମାନେ ମଧ୍ୟ ଖାଦ୍ୟରେ ମିଲେଟ୍ସକୁ ପାଇବେ। ଏହା ସେମାନଙ୍କୁ ନିୟମିତ ଦିଆଯାଉଥିବା ଖାଦ୍ୟରେ ଏକ ନୂଆ ଅନୁଭବ ଦେବା ସହ ଶରୀରକୁ ସୁସ୍ଥ ରଖିବ”, କହିଛନ୍ତି ଡାକ୍ତର ଆଶୁତୋଷ ବିଶ୍ଵାସ।

ସେ ଆହୁରି ମଧ୍ୟ କହିଛନ୍ତି, “ଜାତିସଂଘ ପକ୍ଷରୁ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ଘୋଷଣା କରାଯାଇଛି। ଏହା ବ୍ୟତୀତ ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାର ମିଲେଟ୍ସର ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ସେଥିରୁ ପ୍ରେରଣା ନେଇ ଆମେ ଏମ୍ସରେ ଏଭଳି ପଦକ୍ଷେପ ନେଇଛୁ।

ଏହି ଅବସରରେ ମିଲେଟ୍ସର ଉପକାରିତା ପ୍ରତି ଲୋକଙ୍କୁ ସଚେତନ କରିବା ଲାଗି ଏମ୍ସ ଓପିଡ଼ି ନିକଟରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଏଠାରେ ମିଲେଟ୍ସ ଉପରେ ଲେଖାଯାଇଥିବା ଏକ ପୁସ୍ତକ ‘ମିଲେଟ୍ସ ଅନ ହେଲଥ୍ ବେନିଫିଟ୍ସ ଆଣ୍ଡ ଡିଜିଜେସ’କୁ ଲୋକମାନଙ୍କୁ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଏମ୍ସର ଡିନ୍ (ଏକାଡେମିକ୍‌) ଡାକ୍ତର ପି ଆର ମହାପାତ୍ର, ଡିନ୍ (ପରୀକ୍ଷା) ଡାକ୍ତର ସୌଭାଗ୍ୟ ଜେନା, ଡିନ୍ (ଗବେଷଣା) ଡାକ୍ତର ସତ୍ୟଜିତ୍‍ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହା ବ୍ୟତୀତ ଏମ୍ସର ଅନ୍ୟାନ୍ୟ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Tags: #AIIMSBhubaneswar #Millets #Food #HealthBenefits

LEAVE A REPLY

Please enter your comment!
Please enter your name here