ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତୃତୀୟ ବିଦେଶ ଗସ୍ତରେ ଯାଇ ଜାପାନରେ ପହଞ୍ଚିଛନ୍ତି। ସେ ମଙ୍ଗଳବାର ସକାଳେ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିଲେ। ଟୋକିଓରେ ଭାରତୀୟ ରାଷ୍ଟ୍ରଦୂତ ସି ବି ଜର୍ଜ ତାଙ୍କୁ ସ୍ଵାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନରେ ପହଞ୍ଚିଥିଲେ।

ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଜାପାନର ନିପନ୍ ଷ୍ଟିଲ୍ କର୍ପୋରେସନର ଅଧ୍ୟକ୍ଷ ଇଜି ହାସିମୋଟୋଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ନିପନ୍ ଷ୍ଟିଲର ଓଡ଼ିଶାରେ ସମ୍ଭବ୍ୟ ପୁଞ୍ଜିନିବେଶ ବିଷୟରେ ଆଲୋଚନା କରାଯିବ। ଏହା ବ୍ୟତୀତ ନବୀନ ପଟ୍ଟନାୟକ ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବେ।

ସୋମବାର ମୁଖ୍ୟମନ୍ତ୍ରୀ ଏକ ସ୍ଵତନ୍ତ୍ର ବିମାନ ଯୋଗେ ସିଙ୍ଗାପୁର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ଟୋକିଓ ଅଭିମୁଖେ ଯାତ୍ରା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଜାପାନ ଗସ୍ତରେ ଓଡ଼ିଶାର ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସଚିବ ମନୋଜ ମିଶ୍ର, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍ ଭିନିଲକ୍ରୀଷ୍ଣା ଏବଂ ଇପିକଲର ପରିଚାଳନା ନିର୍ଦେଶକ ଭୂପେନ୍ଦ୍ର ପୁନିଆ ପ୍ରମୁଖ ଯାଇଛନ୍ତି।

ଏହି ଜାପାନ ଗସ୍ତବେଳେ ଓଡ଼ିଶାରେ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ଭଳି ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏପ୍ରିଲ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

Tags: #CmNaveenPatnaik #JapanVisit #Investment #Industry #BusinessLeaders #Odisha

Comment