ଶୁଭଶ୍ରୀ ନାୟକ

୭୦/୮୦ ଦଶକରେ ଯେଉଁ କେତେ ଜଣ ହିରୋଇନ ରୁପେଲି ପରଦାରେ ଛାଇ ହୋଇ ରହିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ତନ୍ଦ୍ରା ରାୟ। ହିରୋଇନ-ବଡ଼ଭାଉଜ-ମା’, ଏମିତି ବିଭନ୍ନ ଚରିତ୍ରରେ ସେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି। ଅଭିନୟ ଦୁନିଆରେ ତାଙ୍କର ଲମ୍ବା କ୍ୟାରିୟର। ୟା ଭିତରେ ଅନେକ ସଫଳତା-ବିଫଳତା, ଉଠା-ପକା। ତାଙ୍କର ଏହି ଦୀର୍ଘ ଅନୁଭୂତିକୁ ନେଇ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର।Tandra Ray

‘ଚିଲିକା ତୀରେ’ରୁ ଅଭିନୟ କ୍ୟାରିୟର

‘ଚିଲିକା ତୀରେ’ ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଫିଲ୍ମ। ଫିଲ୍ମଟି ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା। କାହାଣୀ ଟି ମତ୍ସ୍ୟଜୀବୀଙ୍କ ଜୀବନ, ପ୍ରେମ, ବିରହ ବିଦ୍ରୋହ ଓ ଆକ୍ରୋଶ ଉପରେ ପର୍ଯ୍ୟବେସିତ ଥିଲା। ହରଗୌରୀ ଫିଲ୍ମ ନିବେଦିତ ଏହି ଫିଲ୍ମରେ ବିଜୟ ମହାନ୍ତି, ତନ୍ଦ୍ରା ରାୟ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ଏହାଥିଲା ତନ୍ଦ୍ରା ରାୟ ଓ ବିଜୟ ମହାନ୍ତିଙ୍କ ଡେବ୍ୟୁ ଫିଲ୍ମ।

ଏକ ବାସ୍ତବବାଦୀ କଳାଧିର୍ମୀ ଫିଲ୍ମ ହେଇ ମଧ୍ୟ ଏଇ ଚଳଚ୍ଚିତ୍ରଟି ସେତେବେଳେ ଭଲ ବ୍ୟବସାୟ କରିଥିଲା। ମୌଳିକତା ଓ କଳାତ୍ମକ ଦିଗରୁ  ଅତି ଉଚ୍ଚମାନର ହୋଇଥିବାରୁ  ସର୍ବ ଭାରତୀୟ ସ୍ତରରେ ଚିତ୍ରଟି ପ୍ରଶଂସିତ ହୋଇ ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ପୁରସ୍କାର ରଜତ କମଳ ପାଇଥିଲା। ଏହିଠୁ ଆରମ୍ଭ ହୋଇଥିଲା ତନ୍ଦ୍ରା ରାୟଙ୍କ ଅଭିନୟ ଜୀବନ।

‘‘ଅଭିନୟ କ’ଣ ମୁଁ ଜାଣିନଥିଲି’’

‘‘ଯେତେବେଳେ ଫିଲ୍ମ ‘ଚିଲିକା ତୀରେ’ ମୁଁ ଅଭିନୟ କରିଥିଲି, ସେତେବେଳେ ଅଭିନୟ କ’ଣ ମୁଁ ଜାଣିନଥିଲି। ସେ ସମୟରେ ବି.ଏ ପଢ଼ୁଥିଲି। ପିଲାବେଳୁ ହିଁ ମୁଁ ଚୁପଚାପ ପ୍ରକୃତିର। ସେତେବେଳେ ଆମ ଘରକୁ ଫିଲ୍ମର ନିର୍ଦ୍ଦେଶକ ବିପ୍ଳବ ରାୟ ଚୌଧୁରୀ ଆସିଥିଲେ। ସେ ମୋର ସମ୍ପର୍କୀୟ ମାମୁଁ ଥିଲେ। ତେଣୁ ତାଙ୍କର ଏହି ଫିଲ୍ମରେ ଅଭିନୟ କରିବାକୁ ମତେ ସେ ପ୍ରଥମେ ଅଫର ଦେଇଥିଲେ। ସେତେବେଳେ ମନରେ ବହୁତ ଡର ଥିଲା। କିନ୍ତୁ ମୁଁ ହଁ କରିଥିଲି’’, ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି ତନ୍ଦ୍ରା ରାୟ।

‘ଚିଲିକା ତୀରେ’ ପରେ ଅଭିନୟ ପ୍ରତି ତନ୍ଦ୍ରା ରାୟଙ୍କ ଇଚ୍ଛା ବଢ଼ିଥିଲା। ଅନ୍ୟ ବଡ଼ ବଡ଼ ଷ୍ଟାରମାନଙ୍କୁ ଦେଖି ସେ ଅଭିନୟ ଶିଖିଥିଲେ। ଆଉ ତା’ପରେ ତାଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ଆସିଥିଲା। ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ବେଶ୍‌ ସମର୍ଥନ କରିଥିଲେ।

ପାରିବାରିକ ଫିଲ୍ମରେ ଫିଟ୍‌ ହେଉଥିଲେ ତନ୍ଦ୍ରା

ତନ୍ଦ୍ରା ରାୟ ତାଙ୍କ ଫିଲ୍ମ କ୍ୟାରିୟରରେ ୫୦ରୁ ଅଧିକ ପାରିବାରିକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ଅଧିକାଂଶ ଫିଲ୍ମ ସାହିତ୍ୟରୁ ଆସିଥିଲା। ‘ପର ଝିଅ ଭାଙ୍ଗେନା’, ‘ସତ କେବେ ଲୁଚି ରହେନା’, ‘ଆମ ଘର ଆମ ସଂସାର’, ‘ପଞ୍ଜୁରୀ ଭିତରେ ଶାରୀ’ ଆଦି ନିଚ୍ଛକ ଓଡ଼ିଆ ଫିଲ୍ମରେ ସେ ଅଭିନୟ କରିଛନ୍ତି। କେତେବେଳେ ନାୟିକା, କେତେବେଳେ ବଡ଼ ଭାଉଜ ଆଉ କେତେବେଳେ ମା’ ଚରିତ୍ରରେ ସେ ନିଖୁଣ ଅଭିନୟ କରିଛନ୍ତି।

ଏହାଛଡ଼ା କିଛି ମେଗା ସିରିଏଲ ଏବଂ ଟେଲିଭିଜିନରେ ଉଦ୍‌ଘୋଷିକା ଭାବେ ସେ କିଛି ଦିନ କାମ କରିଥିଲେ।

‘‘ମତେ ଯେଉଁ ଚରିତ୍ର ଦିଆଯାଇଥାଏ ମୁଁ ତାକୁ ଅନୁଭବ କରେ। ସେଇ ଚରିତ୍ରକୁ ବଞ୍ଚେ। ତେଣୁ ଫିଲ୍ମଟିରେ ଅଭିନୟ ବାସ୍ତବଧର୍ମୀ ଲାଗେ। ତେଣୁ ଘରର ବୋହୂ, ମା’, ବଡ଼ ଭାଉଜ ଏମିତି ଚରିତ୍ର ମୁଁ ଭଲ କରିପାରେ। ଫିଲ୍ମ ନିର୍ମାତାମାନେ ମଧ୍ୟ ଏହି ଚରିତ୍ର ପାଇଁ ମତେ ବାଛନ୍ତି’’, କହନ୍ତି ତନ୍ଦ୍ରା ରାୟ।

‘‘ସେତେବେଳେ ଝିଅମାନଙ୍କ ପାଇଁ ସୁଟିଂ ସେଟ୍‌ରେ କିଛି ସୁବିଧା ନଥିଲା’’

‘‘ଆମ ସମୟରେ ଝିଅ ବା ମହିଳା କଳାକାରଙ୍କ ପାଇଁ ସୁଟିଂ ସେଟ୍‌ରେ କିଛି ବ୍ୟବସ୍ଥା ନଥିଲା। ଗାଁ ଗହଳରେ ଫିଲ୍ମ ସୁଟିଂ ବେଳେ ମହୁତ ହଇରାଣ ହେଉଥିଲେ କଳାକାରମାନେ। ଗ୍ରୀନରୁମ୍‌ର ବ୍ୟବସ୍ଥା ନଥିଲା। କିଛି ଲୋକ ଶାଢ଼ି ଧରି ଛିଡ଼ା ହେଉଥିଲେ, ଆମେ ତା’ ଭିତରେ ଡ୍ରେସ ଚେଞ୍ଜ୍‌ କରୁଥିଲୁ। କିନ୍ତୁ ସେତେବେଳେ ଲୋକ ବହୁତ ଭଲ ଥିଲେ। ସେମାନେ ଆମକୁ ସାହଯ୍ୟ କରୁଥିଲେ’’, କହିଛନ୍ତି ତନ୍ଦ୍ରା ରାୟ।

ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ବହୁତ ବଦଳି ଯାଇଛି। ସୁଟିଂ ପ୍ରୋସେସ୍‌, ଟେକ୍ନୋଲୋଜି ସବୁକିଛି ପରିବର୍ତ୍ତନ ହୋଇଛି। ଝିଅମାନଙ୍କ ଲାଗି ସୁଟିଂ ସେଟ୍‌ରେ ବ୍ୟବସ୍ଥା କରାଯାଉଛି।

ରିଲ୍‌ ଲାଇଫରୁ ରିଅଲ ଲାଇଫ୍‌ ପାର୍ଟନର ବିଜୟ ମହାନ୍ତି

ଓଡ଼ିଆ ଫିଲ୍ମ ଜଗତରେ ଜଣେ ଦକ୍ଷ ଅଭିନେତା ଥିଲେ ବିଜୟ ମହାନ୍ତି। ନାୟକ, ଖଳନାୟକ, ବାପା ଆଦି ବିଭିନ୍ନ ଚରିତ୍ରରେ ସେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଆସିଥିଲେ। ସେ ତାଙ୍କ ଫିଲ୍ମ କ୍ୟାରିୟରେ ଅଧିକାଂଶ ଫିଲ୍ମ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କ ସହିତ କରିଥିଲେ। ‘ଚିଲିକା ତୀରେ’ ଫିଲ୍ମରେ ତନ୍ଦ୍ରା ତାଙ୍କ ନାୟିକା ସାଜିଥିଲେ। ଏହି ଫିଲ୍ମରୁ ହିଁ ଉଭୟଙ୍କ ଯୋଡି ହିଟ୍ ହୋଇଥିଲା। ଏହା ପରେ ପରେ ଦୁହିଁଙ୍କୁ ଅନେକ ଫିଲ୍ମରେ ସ୍ୱାମୀ- ସ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ଅଭିନୟ କରୁ କରୁ ସେମାନେ ପରସ୍ପରକୁ ବିବାହ କରିଥିଲେ।

ଦୀର୍ଘ ବର୍ଷର ସଫଳ ଦାମ୍ପତ୍ୟ ଜୀବନରେ ତନ୍ଦ୍ରା ରାୟଙ୍କୁ ଶକ୍ତ ଧକ୍କା ଦେଇଥିଲା ବିଜୟ ମହାନ୍ତିଙ୍କ ହଠାତ ବିୟୋଗ। ୨୦୨୦ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ତନ୍ଦ୍ରା ତାଙ୍କ ଝଅ ଜସ୍ମିନଙ୍କ ସହିତ ରହୁଛନ୍ତି।

୨୦୧୩ରେ ତନ୍ଦ୍ରା ରାୟ ବ୍ୟାଚେଲର୍, ହାତଧରି ଚାଲୁଥା, ଡାହା ବାଳୁଙ୍ଗା ଫିଲ୍ମରେ ନଜର ଆସିଥିଲେ। ତା’ ପରଠାରୁ ସେ ଆଉ କୌଣସି ଫିଲ୍ମରେ କିମ୍ବା ମେଗା ଧାରାବାହିକରେ ନଜର ଆସିନାହାନ୍ତି।

Tags: #Entertainment #OdiaCinema #OllywoodFilmIndustry #TandrayRay #ActressTandraRay

Comment