ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୃତ୍ୟୁ ଏମିତି ବି ଆସେ। ସମ୍ପର୍କୀୟଙ୍କ ଦାହ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ ହେଲେ ବଜ୍ରାଘାତରେ ପ୍ରାଣ ହରାଇଲେ। ଏହିଭଳି ଅଭାବନୀୟ ଘଟଣା ଶନିବାର ଦିନ ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅନ୍ତର୍ଗତ ୧୫ ନମ୍ବର ୱାର୍ଡର ଅଙ୍କୁରା ଗାଁରେ। ବଜ୍ରାଘାତ ଯୋଗୁଁ ପ୍ରାଣ ହରାଇଥିବା ୩ ଜଣ ମହିଳା ହେଲେ ସୁବାସିନୀ ଦାସ, ଜୀବତି ନାଏକ ଓ ହେମଲତା ହୋ। ମୃତ ହେମଲତା ଗର୍ଭବତୀ ଥିଲେ।

ଅଙ୍କୁରା ଗ୍ରାମର ମୁକ୍ତା ମୁଣ୍ଡାଙ୍କର ଆଜି ସକାଳେ ମୃତ୍ୟୁ ହୋଇଥିଲା। ଖବର ପାଇ ବିଭିନ୍ନ ଗ୍ରାମରୁ ତାଙ୍କ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ପହଞ୍ଚିଥିଲେ। ଘର ନିକଟରେ ଥିବା ଏକ ଆମ୍ବ ଗଛ ମୂଳରେ ସମ୍ପର୍କୀୟମାନେ ବସିଥିବା ସମୟରେ ବର୍ଷା, ପବନ ସହ ବିଜୁଳି ଘଡ଼ଘଡ଼ି ମାରିଥିଲା।

ବଜ୍ରାଘାତ ଯୋଗୁଁ ଗଛମୂଳରେ ବସିଥିବା ସୁବାସିନୀ, ଜୀବତି ଓ ହେମଲତାଙ୍କର ମୃତ୍ୟୁ ହୋଇଥିଲା। ବଜ୍ରପାତ ଯୋଗୁଁ ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କୁ ଡାକ୍ତରଖାନରେ ଭେଟିଛନ୍ତି।

Tags: #Mayurbhanj #Karanjia #Lightening #Death

Comment