ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚାକିରି ହୋଇଛି ନିୟମିତ। ଓଡ଼ିଶା ଗ୍ରୁପ୍ ‘ବି’ ପଦବୀ (ଚୁକ୍ତି ଭିତ୍ତିକ) ନିଯୁକ୍ତି ନିୟମ ୨୦୧୩ ଅନୁସାରେ ଚାକିରି କରିଥିବା ହାଇସ୍କୁଲ ଶିକ୍ଷକମାନେ ନିୟମିତ ହେବେ। ଏନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଚାକିରି ନିୟମିତ ହେବା ଦ୍ଵାରା ଓଡ଼ିଶାର ୧୮ ହଜାରରୁ ଅଧିକ ଶିକ୍ଷକ ଉପକୃତ ହେବେ। ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଗ୍ରୁପ୍ ବି, ସି, ଡି ପଦବୀ (ଉଚ୍ଛେଦ ଓ ସ୍ଵତନ୍ତ୍ର ପ୍ରବଧାନ) ନିୟମ ୨୦୨୨ ଆଧାରରେ ସେମାନଙ୍କ ଚାକିରି ନିୟମିତ ହେବ। ସେମାନେ ଏବେ ଗ୍ରୁପ୍ ‘ବି’ ପଦବୀ ହାରରେ ଦରମା ପାଇବେ। ଏଥଲାଗି ରାଜ୍ୟ ସରକାରଙ୍କୁ ବାର୍ଷିକ ୪୦୦ କୋଟି ଟଙ୍କାର ଆର୍ଥିକ ଭାର ବହନ କରିବାକୁ ପଡ଼ିବ।

ଯେଉଁ ଶିକ୍ଷକମାନେ ୬ ବର୍ଷ ଚାକିରି ପୂରଣ କରିନଥିବେ ସେମାନଙ୍କ ଚାକିରିକୁ ଓଆରଭି ନିୟମ ଆଧାରରେ ନିୟମିତ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯିବ। ଅନ୍ୟପଟେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିନଠାରୁ ସର୍ଭିସ ପିରିୟଡ ଅନୁସାରେ ବାରିଷ୍ଠତା କ୍ୟାଡର ଓ ପଦୋନ୍ନତି ଦିଆଯିବ।

ଏହାପୂର୍ବରୁ ଚାକିରି ନିୟମିତ କରିବା ପାଇଁ ଓଡ଼ିଶା ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଓ ଓଡ଼ିଶା ହାଇସ୍କୁଲ ସିବିଟି ସଂଘ ପକ୍ଷରୁ ଭୁବନେଶ୍ଵର ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ ଧାରଣରେ ଦିଆଯାଇଥିଲା। ଏଠାରେ ହଜାର ହଜାର ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ୧୩ ଦିନ ଧରି  ଗଣଶିକ୍ଷା ବିଭାଗର ନିଯୁକ୍ତିରେ ଅବହେଳାକୁ ନେଇ ପ୍ରତିବାଦ କରିଥିଲେ। ଦାବି ପୂରଣ ନ ହେବ ଯାଏଁ ସେମାନେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଥିଲେ। ଶେଷରେ ସରକାର ସେମାନଙ୍କ ଦାବିକୁ ପୂରଣ କରିଛନ୍ତି।

୨୦୧୬ ମସିହାରୁ ଓଡ଼ିଶାର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ନିଯୁକ୍ତି ବ୍ୟବସ୍ଥା କରିଥିଲେ। ଏଥିଲାଗି କମ୍ପ୍ୟୁଟର ବେସଡ ପରୀକ୍ଷା ମାଧ୍ୟମରେ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା। ଏହି ଅବଧି ମଧ୍ୟରେ ୪ଟି ପର୍ଯ୍ୟାୟରେ ୧୮ ହଜାରରୁ ଅଧିକ ଶିକ୍ଷକ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ।

Tags: #ContactualTeachers #JobRegularization #HighSchoolTeachers #SMEOdisha

LEAVE A REPLY

Please enter your comment!
Please enter your name here