ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁରୁବାର ସୁରଟ ସେସନ୍ସ କୋର୍ଟରୁ ଶକ୍ତ ଝଟକା ମିଳିଛି। ‘ମୋଦୀ ସରନେମ’ ମାମଲାରେ ରାହୁଲଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ କୋର୍ଟ ମନା କରିଦେଇଛନ୍ତି। ଏନେଇ ରାହୁଲଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି।

ରାହୁଲ ଗାନ୍ଧୀ ‘ମୋଦୀ ସରନେମ’ ମମାଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଏହି ରାୟ ଉପରେ ରହିତାଦେଶ ପାଇଁ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। ସେସନ୍ସ କୋର୍ଟ ଜଜ୍ ଆର୍ ପି ମୋଗେରା ଏପ୍ରିଲ ୧୩ ତାରିଖରେ ଏହି ଆବେଦନର ଶୁଣାଣି କରି ରାୟ ସରଂକ୍ଷିତ ରଖିଥିଲେ। ଆବେଦନ ଖାରଜ ହେବାର ଏହି ରାୟକୁ କୋର୍ଟ ଗୁରୁବାର ଶୁଣାଇଛନ୍ତି।

ଏହି ଆବେଦନର ଶୁଣାଣିବେଳେ ସେସନ୍ସ କୋର୍ଟ ମାନହାନି ମମାଲାର ଉଭୟ ପକ୍ଷ ରାହୁଲ ଗାନ୍ଧୀ ଓ ପୂର୍ଣ୍ଣେଶ ମୋଦୀଙ୍କ ବୟାନ ରେକର୍ଡ କରିଥିଲେ। ଆଗକୁ ରାହୁଲ ଗାନ୍ଧୀ ଏହି ରାୟକୁ ଚ୍ୟାଲେଞ୍ଜ କରି ଗୁଜରାଟ ହାଇକୋର୍ଟରେ ଆବେଦନ କରିବେ। ଏହି ମମାଲାରେ ସବୁ ପ୍ରକାର ଆଇନଗତ ବିକଳ୍ପର ଉପଯୋଗ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ରାହୁଲ ଗାନ୍ଧୀଙ୍କୁ ସୁରଟ ସେସନ୍ସ କୋର୍ଟ ମାର୍ଚ୍ଚ ମାସରେ ‘ମୋଦୀ ସରନେମ’ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିଲାଗି ତାଙ୍କୁ ୧୫ ହଜାର ଟଙ୍କା ଜୋରିମାନା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ମିଳିଥିଲା। ଦୋଷୀ ସାବ୍ୟସ୍ତ ହେବାପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା।

୨୦୧୯ ମସିହାରେ ନିର୍ବାଚନ ପ୍ରଚାର ସମୟରେ କର୍ଣ୍ଣାଟକର କୋଲାରରେ ରାହୁଲ ଗାନ୍ଧୀ ‘ମୋଦୀ ସରନେମ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। “ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କାହିଁକି” ବୋଲି ସେ ବୟାନ ଦେଇଥିଲେ। ଏହାକୁ କେନ୍ଦ୍ର କରି ବିଜେପିର ପୂର୍ବତନ ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ସୁରଟ କୋର୍ଟରେ ମାନହାନି ମୋକଦ୍ଦମା କରିଥିଲେ।

Tags: #RahulGandhi #DefamationCase #Conviction #SuratSessionsCourt #Application #Congress

 

Comment