ଓଡ଼ିଶାଲାଇଭ୍ ବ୍ୟୁରୋ

Section 377 Scrapped

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗକୁ ନେଇ ଏବେ ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଏବେ ସୁପ୍ରିମକୋର୍ଟରେ ଶୁଣାଣି ମଧ୍ୟ ଜାରି ରହିଛି। ତେବେ ଏହି ସମଲିଙ୍ଗୀ ବିବାହକୁ ଆଇଗତ ମାନ୍ୟତା ଦେବା ନିଷ୍ପତ୍ତି ସଂସଦକୁ ନେବାକୁ ଦିଆଯାଉ ବୋଲି ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଛି। ଏନେଇ ରବିବାର ଦିନ କାଉନସିଲରେ ସର୍ବସମ୍ମତିରେ ଏକ ସଂକଳ୍ପ ଗୃହୀତ ହୋଇଛି।

“ବିବାହ ହେଉଛି ପୁରୁଷ ଓ ନାରୀଙ୍କ ମଧ୍ୟରେ ହେଉଥିବା ଏକ ସମ୍ପର୍କର ବନ୍ଧନ ଯାହାକି ନୂଆ ସୃଷ୍ଟିର କାରଣ। ଏହା ଅନେକ ଦିନରୁ ଚାଲୁଅଛି।  ଏବେ ସମଲିଙ୍ଗୀ ବିବାହ ଅଳ୍ପ କିଛି ଲୋକଙ୍କ ଦ୍ଵାରା ହେଉଥିବା ଏକ ପ୍ରକାର ସାମାଜିକ ପରୀକ୍ଷଣ। ଏହାକୁ ଭାରତର ୯୯ ପ୍ରତିଶତ ଲୋକ ଗ୍ରହଣ କରନ୍ତି ନାହିଁ। ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ”, କହିଛି ବାର କାଉନସିଲ ଅଫ ଇଣ୍ଡିଆ।

କାଉନସିଲ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, “ସମଗ୍ର ବିଶ୍ଵରେ ଭାରତ ଏକ ବିବିଧତା ପୂର୍ଣ୍ଣ ଦେଶ। ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ଭାରତରେ ବାସ କରୁଛନ୍ତି। ସମସ୍ତଙ୍କର ବିବାହକୁ ନେଇ ସ୍ୱତନ୍ତ୍ର ଧାର୍ମିକ ଭାବନା ରହିଛି। ଏଭଳି ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନର ଅଧିକାର ସଂସଦକୁ ଦେବା ଦରକାର, କାରଣ ସେଠାରେ ଲୋକମାନଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧି ଅଛନ୍ତି।”

ବାର କାଉନସିଲ ଅଫ ଇଣ୍ଡିଆରେ ସମଲିଙ୍ଗୀ ବିବାହ ସମ୍ପର୍କରେ ଏହି ସଂକଳ୍ପ ଗୃହୀତ ହେବା ପୂର୍ବରୁ ସବୁ ରାଜ୍ୟର ବାର କାଉନସିଲର ମତାମତ ନିଆଯାଇଥିଲା। ଏହାପରେ ଏହି ପ୍ରସ୍ତାବ ବିଷୟରେ ସୁପ୍ରିମକୋର୍ଟକୁ ଜଣାଇ ଦିଆଯାଇଛି।

ପୂର୍ବରୁ ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ଶୁଣାଣି ବେଳେ କେନ୍ଦ୍ର ସରକାର ଏହାର ବିରୋଧ କରିଥିଲେ। ଏହାଛଡ଼ା ଏହି ମାମଲାର ଶୁଣାଣିରେ ରାଜ୍ୟମାନଙ୍କୁ ପକ୍ଷଭୁକ୍ତ କରି ସେମାନଙ୍କ ମତାମତ ନେବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ।

Tags: #SamesexMarriage #LegalValidation #LGBTQRights #BarCouncilofIndia #SupremeCourt #Parliament #India

Comment