ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ଦନ୍ତେଓ୍ଵାଡାଠାରେ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସର ଯବାନ ଏକ ଅପରେସରେ ଯାଉଥିବାବେଳେ ନକ୍ସଲମାନେ ଯବାନଙ୍କ ଗାଡ଼ିକୁ ଉଡ଼ାଇ ଦେଇଥିଲେ। ସହିଦଙ୍କ ମଧ୍ୟରେ ୧୦ ଜଣ ଡିଆରଜିର ଯବାନ ରହିଥିବାବେଳେ ଜଣେ ଡ୍ରାଇଭର ଅଛନ୍ତି।

ଏହି ଘଟଣାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦୃଢ଼ ନିନ୍ଦା କରିବା ସହ ନକ୍ସଲମାନଙ୍କୁ ଏହାରକ କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, “ନକ୍ସଲଙ୍କ ବିରୋଧରେ ଆମର ଲଢ଼େଇ ଅନ୍ତିମ ଚରଣରେ ରହିଛି। ଯୋଜନାବଦ୍ଧ ଭାବେ ନକ୍ସଲବାସକୁ ମୂଳରୁ ଉପାଡ଼ି ଫିଙ୍ଗିଦିଆଯିବ।”

ବର୍ତ୍ତମାନ ପୋଲିସ୍ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବନିମୟ ଜାରି ରହିଛି। ନକ୍ସଲଙ୍କୁ କଡ଼ା ଜବାବ ଦେବାକୁ ଅଧିକରୁ ଅଧିକ ପୋଲିସ ଫୋର୍ସ ପଠାଯାଇଛି।

ଏକ ସ୍ପେସାସଲ ଅପରେସନ ପାଇଁ ୧୦ ଜଣ ଯବାନଙ୍କୁ ନେଇ ଏକ ଗାଡ଼ି ଯାଉଥିଲା। ଏହି ସମୟରେ ଅରନପୁର ନିକଟ ପାଲନାର ଅଞ୍ଚଳରେ ଯବାନଙ୍କ ଗାଡ଼ିକୁ ଆଇଇଡି ଦ୍ଵାରା ଉଡ଼ାଇ ଦେଇଥିଲେ ନକ୍ସଲ। ଏ ନେଇ ବସ୍ତରର ଆଇଜି ସୁନ୍ଦରରାଜ ସୂଚନା ଦେଇଛନ୍ତି।

ଓଡ଼ିଶାରେ ହାଇଆଲର୍ଟ ଜାରି 

ଛତିଶଗଡ଼ରେ ନକ୍ସଲ ହମଲା ପରେ ଓଡ଼ିଶାରେ ହାଇଆଲର୍ଟ ଜାରି କରାଯାଇଛି। ଛତିଶଗଡ଼ ସୀମାକୁ ଲାଗିଥିବା ଓଡ଼ିଶାର ୩ ଜିଲ୍ଲା ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରକୁ ଆଲର୍ଟ କରାଯାଇଛି। କମ୍ବିଂ ଅପରେସନ ଜୋରଦାର କରିବା ସହ ସୀମା ଅଞ୍ଚଳରେ ଚେକିଂ ଓ ବ୍ଲକିଂ ଜୋରଦାର କରିବାକୁ କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ଏପଟେ ଦନ୍ତେଓ୍ଵାଡା ନକ୍ସଲ ଆକ୍ରମଣ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ପକ୍ଷରୁ ସବୁପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି।

୨୦୧୭-୧୮ ମସିହାରେ କେନ୍ଦ୍ର ସରକାର ନକ୍ସଲବାଦର ମୁକାବିଲା କରିବା ଲାଗି ଛତିଶଗଡ଼କୁ ୯୨ କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏହି ରାଶି ୨୦୨୦-୨୧ ବୃଦ୍ଧି ହୋଇ ୧୪୦ କୋଟି ଟଙ୍କାରେ ପହଞ୍ଚିଛି।

ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ୨୦୨୧ ଆକଳନ ଅନୁସାରେ ଛତିଶଗଡ଼ର ୮ଟି ଜିଲ୍ଲା ନକ୍ସଲ ପ୍ରବଣ ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବୀଜାପୁର, ସୁକମା, ବସ୍ତର, ଦନ୍ତେଓ୍ଵାଡା, କାଙ୍କେର, ନାରାୟଣପୁର, ରାଜନନ୍ଦଗାଁ ଏବଂ କୋଣ୍ଡାଗାଁ ରହିଛି। ଏଠାରେ ୧୦ ବର୍ଷ ମଧ୍ୟରେ ୩,୭୨୨ ନକ୍ସଲ ଆକ୍ରମଣ ହୋଇଥିବାବେଳେ ୪୮୯ ଜଣ ଯବାନ ସହିଦ ହୋଇଛନ୍ତି।

Tags: #Naxal #JawanSahid #Chhattisgarh #Dantewada #NaxalAttack #MartyredJawan

Comment