ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଆଯାଇଥିବା ଏତଲା ପୋଲିସ ଗ୍ରହଣ କରିନଥିବାରୁ ଏହାକୁ ନେଇ ଦିଲ୍ଲୀ ପୋଲିସକୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ନ୍ୟାୟ ନମିଳିବାରୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କୁସ୍ତି ଯୋଦ୍ଧା ଏବଂ କୁସ୍ତି ଖେଳାଳି। ଆସନ୍ତା ୨୮ ତାରିଖରେ ଏହି ମାମଲାର ପୁଣି ଶୁଣାଣି ହେବ।

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ନ୍ୟାୟ ନମିଳିବାରୁ ଭାରତର ଶୀର୍ଷସ୍ତରର କୁସ୍ତିବିତଙ୍କ ସହ ଖେଳାଳିମାନେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ଅଭିଯୁକ୍ତ ଜଣେ କ୍ଷମତାଶାଳୀ ତଥା ସାଂସଦ ହୋଇଥିବାରୁ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରୁନଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦିଲ୍ଲୀର ଯନ୍ତରମନ୍ତରଠାରେ ପୁଣି ଥରେ କୁସ୍ତି ଖେଳାଳିମାନେ ଆନ୍ଦୋଳନରେ ବସିଛନ୍ତି।

ପୋଲିସ ନଶୁଣିବାରୁ ଆନ୍ଦୋଳନକାରୀମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ନିକଟରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠଙ୍କ ନିକଟରେ ପୋଲିସର ନିଷ୍କ୍ରିୟତା ଦର୍ଶାଇଥିଲେ।

ଅଭିଯୋଗ ଆଧାରରେ ଯଦି ପୋଲିସ ନୀରାବ ରୁହେ, ତେବେ ଏହି ମାମଲାରେ ସମ୍ପୃକ୍ତ ପୋଲିସ କର୍ମଚାରୀ ମଧ୍ୟ ଅଭିଯୋଗ ହେବେ ବୋଲି କହିଥିଲେ କପିଲ ଶିବଲ। ଏହା ପରେ ସୁପ୍ରିମକୋର୍ଟ ଏହି ପିଟିସନକୁ ଗ୍ରହଣ କରିବା ସହ ଅଭିଯୋଗକୁ ଗୁରୁତର ସହ ନେଇ ଦିଲ୍ଲୀ ପୋଲିସକୁ ନୋଟସ କରିଛନ୍ତି।

ଯନ୍ତରମନ୍ତରଠାରେ ବସିଥିବା ଆନ୍ଦୋଳନକାରୀଙ୍କୁ ଏବେ ଧମକ ଦିଆଯାଉଥିବା ଅଭିଯୋଗ ହେଉଛି। ବଜରଙ୍ଗ ପୁନିଆ ଅଭିଯୋଗ କରିଛନ୍ତି ଯେ, ଆନ୍ଦୋଳନରତ ଖେଳାଳିଙ୍କୁ ଆନ୍ଦୋଳନରୁ ହଟିଯିବା ଲାଗି ଟଙ୍କା ଅଫରା କରାଯିବା ସହ ଧମକ୍ ଦିଆଯାଉଛି। ଏହାର ଅଡିଓ ରେକର୍ଡ ତାଙ୍କ ପାଖରେ ରହିଥିବା କହିଛନ୍ତି ପୁନିଆ।

୨୦୨୩ ମସିହା ଜାନୁଆରି ୧୮ ତାରିଖରେ କୁସ୍ତି ମହାସଂଘ ଏବଂ କୁସ୍ତି ଖେଳାଳିଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିଲା। ଯନ୍ତରମନ୍ତରଠାରେ ନିବେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକଙ୍କ ସମେତ ଅନେକ କୁସ୍ତି ଖେଳାଳି ଏକାଠି ହୋଇଥିଲେ। ସେହିଦିନ ସନ୍ଧ୍ୟା ୪ଟା ସମୟରେ କୁସ୍ତି ଖେଳାଳିମାନେ ସାମ୍ବାଦିକ ସାମ୍ମିଳନୀ କରି କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ। ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୁସ୍ତିଖେଳାଳିମାନେ ୫ଟି ଅଭିଯୋଗ ଆଣିଛନ୍ତି।

Tags: #SexualHarassment#Wrestler #WFI #SupremeCourt#BrijBhushanSharnSingh #DelhiPolice #SCNotic

Comment