ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ପରେ ଶୁକ୍ରବାର ରାତିରେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ହେବା ପରେ ତାଙ୍କୁ ମିଛ ଅଭିଯୋଗରେ ଫସାଇବାକୁ ଅପଚେଷ୍ଟା କରାଯାଉଥିବା ଶନିବାର ଦିନ ନିଜ ପ୍ରତିକ୍ରିୟାରେ କହିଛନ୍ତି ବ୍ରିଜଭୂଷଣ ସିଂ।

ବ୍ରିଜଭୂଷଣ ଆହୁରି କହିଛନ୍ତି ଯେ, ତାଙ୍କୁ ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ନିଜକୁ ନିର୍ଦୋଷ ବୋଲି କହିବା ସହ ପଦବୀରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି।

ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ପକ୍ସୋ ଆକ୍ଟ ସମେତ ଦୁଇଟି ମାମଲା ରୁଜୁ କରାଯାଇଛି। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦିଲ୍ଲୀର କନ୍ନଟ ପ୍ଲେସ ଥାନାରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ତାଙ୍କ ବିରୋଧରେ ଧାରା ୩୪୫(ମିହଳାଙ୍କ ସମ୍ମାନ ହାନୀ କରି ସେମାନଙ୍କ ଇଚ୍ଛା ବିରୋଧରେ ବଳ ପ୍ରୟୋଗ କରିବା), ଧାରା ୩୪୫(ଏ) (ଯୌନ ନିର୍ଯାତନା), ଧାରା ୩୫୪(ଡି) (ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର କରିବା) ଏବଂ ଧାରା ୩୪(ଏକାଧିକ ବ୍ୟକ୍ତି ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରିବା) ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି।

ବ୍ରିଜଭୂଷଣ କହିଛନ୍ତି “ମୋ ବିରୋଧରେ ଚକ୍ରାନ୍ତ କରି ମୋତେ ଫସାଇବାକୁ ଚେଷ୍ଟା ଚାଲିଛି। ମୁଁ ସମ୍ପୂର୍ଣ୍ଣ ନିର୍ଦୋଷ। ଆଇନ ଉପରେ ମୋର ଭରସା ଅଛି। ତଦନ୍ତ ପାଇଁ ମୋତେ ଯେଉଁଠିକୁ ଡକାଯିବ ମୁଁ ଯିବି ଏବଂ ପୂର୍ଣ୍ଣ ସହଯୋଗ କରିବି।”

ଏପଟେ କୁସ୍ତି ଖେଳାଳିଙ୍କୁ ସୁରକ୍ଷା ଦିଆଯିବ ବୋଲି କହିଛି ଦିଲ୍ଲୀ ପୋଲିସ। ବ୍ରିଜଭୂଷଣଙ୍କ ବିରୋଧରେ ୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନ ଦେଉଥିବା ଅଭିଯୋଗ ରହିଛି।

ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୋଲିସ ମାମଲା ରୁଜୁ କରୁନଥିଲା। ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କୁସ୍ତି ଯୋଦ୍ଧା ଏବଂ କୁସ୍ତି ଖେଳାଳି। ଏହି ମାମଲାରେ କୋର୍ଟ ପୋଲିସକୁ ନୋଟିସ କରିଥିଲେ। ଶେଷରେ ଶୁକ୍ରବାର ରାତିରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

୨୦୨୩ ମସିହା ଜାନୁଆରି ୧୮ ତାରିଖରେ କୁସ୍ତି ମହାସଂଘ ଏବଂ କୁସ୍ତି ଖେଳାଳିଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିଲା। ଯନ୍ତରମନ୍ତରଠାରେ ନିବେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକଙ୍କ ସମେତ ଅନେକ କୁସ୍ତି ଖେଳାଳି ଏକାଠି ହୋଇଥିଲେ। ସେହିଦିନ ସନ୍ଧ୍ୟା ୪ଟା ସମୟରେ କୁସ୍ତି ଖେଳାଳିମାନେ ସାମ୍ବାଦିକ ସାମ୍ମିଳନୀ କରି କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ। ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୁସ୍ତିଖେଳାଳିମାନେ ୫ଟି ଅଭିଯୋଗ ଆଣିଛନ୍ତି।

Tags: #SexualHarassment #Wrestler #WFI #SupremeCourt #BrijBhushanSharnSingh #DelhiPolice #FIR

Comment