ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତି ପାଇଁ ଘଟିଛି ହିଂସାକାଣ୍ଡ। ଦୁଇ ସମ୍ପ୍ରଦାୟଙ୍କ ବିବାଦ ଉଗ୍ରରୂପ ଧାରଣ କରିବାରୁ ଏବେ ହୁ ହୁ ହୋଇ ଜଳୁଛି ମଣିପୁର।

ଜାତି ମାନ୍ୟତାକୁ କେନ୍ଦ୍ର କରି ପୂର୍ବୋତ୍ତର ରାଜ୍ୟ ମଣିପୁରରେ ବିବାଦ ଉଗ୍ରରୂପ ଧାରଣ କରିଛି। ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ ଦାବିକୁ ବିରୋଧ ବେଳେ ଆରମ୍ଭ ହୋଇଛି ହିଂସାକାଣ୍ଡ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଏବେ ହୁ ହୁ ହୋଇ ଜଳୁଛି ମଣିପୁର।

ହିଂସାକାଣ୍ଡ ବେଳେ ଘରଦ୍ଵାର ଭାଙ୍ଗିବା ସହ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ୯ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମଣିପୁରର ୮ଟି ଜିଲ୍ଲାରେ ହିଂସାକାଣ୍ଡ ଘଟିଥିବାବେଳେ ଏହି ଜିଲ୍ଲାଗୁଡ଼ିକରେ କର୍ଫ୍ୟୁ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଇମ୍ପାଲ ଓ୍ଵେଷ୍ଟ, କାକଚିଙ୍ଗ, ଥୌବାଲ, ଜିରିବାମ, ବିଷ୍ଣୁପୁର, ଚୁରାଚାନ୍ଦପୁର, କାଙ୍ଗପୋକପି ଏବଂ ତେଙ୍ଗନୌପାଳ।

ଏହା ସହିତ ସାରା ରାଜ୍ୟରେ ଇଣ୍ଟରନେଟ ସେବାକୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ଲାଗି ସେନା ଏବଂ ଆସାମ ରାଇଫଲ୍ସ ଯବାନଙ୍କ ଫ୍ଲାଗମାର୍ଚ୍ଚ ଚାଲିଛି।

ମଣିପୁରରେ ଆସାମ ରାଇଫଲ୍ସର ୩୪ ଏବଂ ସେନାର ୯ କମ୍ପାନି ମୁତୟନ ହୋଇଛନ୍ତି। ଏହା ସହିତ ଗୃହ ମନ୍ତ୍ରାଳୟ ପକ୍ଷରୁ ୫ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ମଣିପୁର ପଠାଯାଇଛି।

ବିବାଦର କାରଣ କ’ଣ?

ମଣିପୁରରେ ମୁଖ୍ୟତଃ ୩ଟି ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ମୈତେଇ, ନାଗା ଏବଂ କୁକି। ଏମାନଙ୍କ ମଧ୍ୟରୁ ନାଗା ଏବଂ କୁକି ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ମୈତେଇ ହେଉଛି ଅଣଆଦିବାସୀ ସମ୍ପ୍ରଦାୟ। ବିଶେଷ କରି ମୈତେଇ ହିନ୍ଦୁ ଧର୍ମାବଲମ୍ବୀ। ନାଗା ଏବଂ କୁକି ରାଜ୍ୟରେ ଅନୁସୂଚିତ ଜାତିର ମାନ୍ୟତା ପାଇଛି।

ମଣିପୁରରେ ଏକ ଆଇନ ରହିଛି, ଯେଉଁଥିରେ ଆଦିବାସୀମାନଙ୍କ ପାଇଁ କିଛି ବିଶେଷ ନିୟମ ରହିଛି। ଏହି ନିୟମ ଅନୁସାରେ ଆଦିବାସୀମାନେ ହିଁ ପାହାଡ଼ି ଅଞ୍ଚଳରେ ବସତିସ୍ଥାପନ କରିପାରିବେ। ମୈତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନଥିବାରୁ ସେମାନେ ପାହାଡ଼ି ଅଞ୍ଚଳରେ ବସତିସ୍ଥାପନ କରିପାରିବେ ନାହିଁ।

ନାଗା ଏବଂ କୁକୁ ଭଳି ଆଦିବାସୀ ସମ୍ପ୍ରଦାୟର ଲୋକ ଚାହୁଁଛନ୍ତି ମୈତାଇ ଲୋକମାନେ ଘାଟି ଅଞ୍ଚଳରେ ରୁହନ୍ତୁ। ମୈତେଇ ଲୋକଙ୍କ ସହ ନାଗା ଏବଂ କୁକୁଙ୍କର ଏହାକୁ ନେଇ ମୂଳରୁ ହିଁ ବିବାଦ ରହିଛି। କିନ୍ତୁ ମୈତେଇ ସମ୍ପ୍ରଦାୟ ନିଜକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ ପାଇଁ ଦାବି କରିଆସୁଛନ୍ତି।

କେମିତି ଆରମ୍ଭ ହେଲା ବିବାଦ?

ନିକଟରେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରିବା ଦାବି ଉପରେ ବିଚାର କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଣିପୁର ହାଇକୋର୍ଟର ଆକ୍ଟିଙ୍ଗ ଚିଫ ଜଷ୍ଟିସ ଏମଭି ମୁରଲୀଧରନ।

ଏହା ବିରୋଧରେ ବୁଧବାର ଦିନ ଅଲ ଟ୍ରାଇବାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ ମଣିପୁର(ଏଟିଏସୟୁଏମ) ‘ଆଦିବାସୀ ଏକତା ଅଭିଯାନ’ ଆରମ୍ଭ କରିଥିଲା। ଏହି ଅଭିଯାନ ସମୟରେ ହିଁ ହିଂସାକାଣ୍ଡ ଆରମ୍ଭ ହୋଇଥିଲା।

ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ସାମିଲ କରିବା ଦାବି ତେଜିବାରେ ଲାଗିଛି। ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଏହି ଦାବି ଉପରେ ବିଚାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ମଣିପୁରର ଛାତ୍ର ସଂଗଠନ ଏହି ଦାବି ବିରୋଧରେ ବୁଧବାର ଦିନ ଚୁରଚାନ୍ଦପୁର ଜିଲ୍ଲାର ତୋରବଙ୍ଗ ଅଞ୍ଚଳରୁ ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନରେ ସାମିଲ ହୋଇଥିଲେ ହଜାର ହଜାର ବିକ୍ଷୋଭକାରୀ।

ଏହି ସମୟରେ ଆଦିବାସୀ ଏବଂ ଅଣଆଦିବାସୀ ସମ୍ପ୍ରଦାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିବାଦ ଉଗ୍ରରୂପ ଧାରଣ କରି ହିଂସାରେ ପରିଣତ ହୋଇଥିଲା। ଚୁରାଚାନ୍ଦପୁରରେ ଅଧିକାଂଶ ଘର ଭଙ୍ଗାରୁଜୁ କରିବା ସହ ଘରଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ। ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସର ପ୍ରୟୋଗ କରାଯାଇଥିଲା। ପରିସ୍ଥିତି ଏତେ ବିଗିଡ଼ି ଗଲା ଯେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ସହାୟତା ଲୋଡ଼ିବାପୁ ପଡ଼ିଲା।

Tags: #Violence #ViolenceforCaste #Manipur #SC

Comment