ଓଡ଼ିଶାଲାଇଭ୍ ବ୍ୟୁରୋ

(ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୩-୨୪ ଶିକ୍ଷା ବର୍ଷରେ ନାମଲେଖା ପାଇଁ ଇଚ୍ଛୁକଛାତ୍ରଛାତ୍ରୀ ମେ’ ୨୨ ତାରିଖ ପୂର୍ବରୁ ଆବେଦନ କରିପାରିବେ। ଆଇଆଇଏମ୍‍ସିର ୱେବ୍‍ସାଇଟ୍‍ www.iimc.nic.in ରେ ଆବେଦନ ପତ୍ର ଉପଲବ୍ଧ ରହିଛି। ଜୁନ ୧୮ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି।

ଆଇଆଇଏମ୍‍ସିର ଆଡମିସନ ଇନ୍‍ଚାର୍ଜ ପ୍ରଫେସର ରାକେଶ କୁମାର ଗୋସ୍ୱାମୀ କହିଛନ୍ତି, “ଆଇଆଇଏମ୍‍ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା, ନୂଆଦିଲ୍ଲୀ କ୍ୟାମ୍ପସ୍‍ରେ ଉର୍ଦ୍ଦୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା, କୋଟ୍ଟାୟମ୍‍ କ୍ୟାମ୍ପସ୍‍ରେ ମାଲାୟଲମ୍‍ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ଓ ଅମରାବତୀ କ୍ୟାମ୍ପସ୍‍ରେ ମରାଠୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି।”

ଏ ସମସ୍ତ ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁନ ୧୮ ତାରିଖ ପୂର୍ବାହ୍ଣ ୧୧ ଟାରୁ ୨ଟା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରବେଶିକା ପରୀକ୍ଷାରେ ସାଧାରଣ ଜ୍ଞାନ ସହ ଗଣମାଧ୍ୟମ ଓ ଗଣ ଯୋଗାଯୋଗ ସମ୍ପର୍କିତ ପ୍ରଶ୍ନ ରହିବ। ଜୁନ ୩୦ ତାରିଖରେ ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ। ଏହାପରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।

ମଞ୍ଜୁରୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ। ସେହିପରି ସ୍ନାତକ ଶେଷ ବର୍ଷ ବା ଶେଷ ସେମିଷ୍ଟରର ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ।

ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରୁ ଅରିଜିନାଲ ପ୍ରୋଭିଜିନାଲ୍‍ ମାର୍କ-ସିଟ୍‍ ବା ସାର୍ଟିଫିକେଟ୍‍ ଦେବାକୁ ହେବ। ଆଇଆଇଏମ୍‍ସି କାର୍ଯ୍ୟାଳୟରେ ଯାଞ୍ଚ ପାଇଁ ଅରିଜିନାଲ୍‍ ଡିଗ୍ରୀ ସାର୍ଟିଫିକେଟ୍‍ ଦାଖଲ କରିବାକୁ ପଡ଼ିବ।

Tags: #Education #Admission #OdiaJournalismCourse #IIMC

Comment