ଓଡ଼ିଶାଲାଇଭ୍ ବ୍ୟୁରୋ

  • ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ କମିଟି
  • ଦୁଃଖ ପ୍ରକାଶ କଲା ଆଇ ଆଣ୍ଡ ପିଆର ବିଭାଗ
  • କ୍ଷମା ମାଗିଲେ କୁଳପତି

ଦିନ ୧୧ଟା ୫୬ ମିନିଟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେବା ସମୟରେ ହଠାତ୍ ଅନ୍ଧାର ହୋଇଗଲା। ପୂରା ୯ ମିନିଟ ୧୨ଟା ୫ ପର୍ଯ୍ୟନ୍ତ ଅନ୍ଧାରରେ ନିଜ ଅଭିଭାଷଣ ଜାରି ରଖିଲେ ରାଷ୍ଟ୍ରପତି। ଏହି ସମୟରେ ରାଷ୍ଟ୍ରପତି ଭାଷଣ ଛଳରେ କହିଥିଲେ “ସୁନ୍ଦର ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ନପଡ଼ିବି ଥକି, ମୁଦିବା ଆଗରୁ ଆଖି…।”

ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଜୁଳି କଟିବା ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ତ୍ରୁଟିକୁ ନେଇ ଆଲୋଚନା ଏବଂ ସମାଲୋଚନା ସହ ଦୋଷ ଲଦା କାମ ମଧ୍ୟ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଏହି ଅଭାବନୀୟ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି କମିଟି। ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖିତ ପ୍ରକାଶ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

ଶନିବାର ଦିନ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଦ୍ଵାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଲାଗି ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଡିଟୋରିଅମରେ ଭାଷଣ ଦେବା ସମୟରେ ୧୧ଟା ୫୬ ମିନିଟରେ ହଠାତ୍ ଆଲୁଅ ଚାଲିଯାଇଥିଲା। କେହି କିଛି ବୁଝି ପାରିଲେ ନଥିଲେ। ସୁରକ୍ଷା କର୍ମୀଙ୍କୁ ବି ଦେଖିପାରିଲେ ନାହିଁ ରାଷ୍ଟ୍ରପତି। ତଥାପି ଅନ୍ଧାରରେ ପୂରା ୯ ମିନିଟ ପର୍ଯ୍ୟନ୍ତ ନିଜର ଭାଷଣ ଜାରି ରଖିଥିଲେ ରାଷ୍ଟ୍ରପତି।

ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଟଚମଟ ଆରମ୍ଭ ହୋଇଗଲା। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଏଭଳି ତ୍ରୁଟିକୁ ନେଇ ଜରୁରୀ ବୈଠକ ଡକାଇଲେ କେନ୍ଦ୍ରାଞ୍ଚଳ ଆରଡିସି। ପ୍ରଶାସନିକ ଏବଂ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ବସିଲା। ତେବେ ଏହି ବିଭ୍ରାଟ ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠିଛି।

କ୍ଷମା ମାଗିଲେ କୁଳପତି

ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଜୁଳି ଚାଲିଯିବା ଘଟଣାକୁ ନେଇ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରିପାଠୀ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଥିଲେ ସମସ୍ତ ପ୍ରସ୍ତୁତି କରାଯାଇଥିଲା, କିନ୍ତୁ ବାହାରୁ ବିଜୁଳି କଟିଗଲା। ଜେନେରେଟର କାମ କରିନଥିବାରୁ ଆମେ ଦୁଃଖିତ ବୋଲି ସେ କହିଥିଲେ।

ଦୋଷ ଛଡ଼େଇଲା ଟାଟା ପାଓ୍ଵା

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗରେ ନିଜ ଉପରୁ ଦୋଷ ଛଡ଼ାଇଛି ଟାଟା ପାଓ୍ଵାର। ଟାଟା ପାଓ୍ଵାର ପକ୍ଷରୁ କୁହାଯାଇଛି ସଭାସ୍ଥଳର ପ୍ୟାନେଲ ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦେବା ଲାଗି ଦାୟିତ୍ୱ ରହିଥିଲା, ବାକି କାମ ବିଶ୍ୱବିଦ୍ୟାଳୟର ଥିଲା ବୋଲି କହିଛନ୍ତି ଟାଟା ପାୱାର କର୍ତ୍ତୃପକ୍ଷ। ଏପଟେ ଯେଉଁଠି ସମାବର୍ତ୍ତନ ଉତ୍ସବ ଚାଲିଥିଲା ସେହି ହଲର ଦାୟିତ୍ୱ ଇଡକୋ ନେଇଥିବା କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି।

ବିଦ୍ୟୁତ କର୍ମଚାରୀ ନିଲମ୍ବିତ

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି ଚାଲିଯିବା ଘଟଣାରେ ବିଶ୍ୱବିଦ୍ୟାଳୟର ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏଭଳି ଏକ ଦାୟିତ୍ଵହୀନ ଘଟଣାରେ ଜଣେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଭିନ୍ନ ମହଲରେ ସମାଲୋଚନା ଆରମ୍ଭ ହୋଇଛି।

ତଦନ୍ତ କରିବ ଜଣିଆ କମିଟି

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଦେଖାଦେଇଥିବା ଗୁରୁତ୍ଵପୂର୍ଣ୍ଣ ତ୍ରୁଟିର ତଦନ୍ତ କରିବା ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିବା କହିଛନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରିପାଠୀ। ଆସନ୍ତା ୧୨ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ଆସିବା ପରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଘଟିଥିବା ତ୍ରୁଟି ପାଇଁ ପ୍ରକୃତରେ କିଏ ଦାୟୀ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି।

Tags: #PresidentOfIndia #DroupadiMurmu #9MinutesofDarkness #PresidentsSpeech #Baripada

Comment