ଓଡ଼ିଶାଲାଇଭ୍ ବ୍ୟୁରୋ

ଆଶାଏଁ ଥି ଉଡୁଁ ଲମ୍ବି ଉଡ଼ାନ କି, ପତା ନହିଁ କ୍ୟୁଁ ଟୁଟା ପଙ୍ଖ? ପହୁଞ୍ଚା କବରିସ୍ଥାନ।

ସବୁ ଉଡୁଥିବା ବିମାନ ଲକ୍ଷ୍ୟସ୍ଥଳରେ ଅବତରଣ କରନ୍ତି ନାହିଁ। ଉଚ୍ଚା, ଲମ୍ବା ଉଡ଼ାଣ ଆଶା କରିଥିବା ଅନେକ ଏୟାରଲାଇନ୍ସ ଅଧାରୁ ହଠାତ୍ ଉଡ଼ାଣ ବାତିଲ କରି ଚିର ଅବତରଣ କରିଯାଇଛନ୍ତି। ସେମିତି ଶନିଦଶା ଭୋଗିଥିବା ଭାରତୀୟ ଏୟାରଲାଇନ୍ସ ତାଲିକାରେ ଯୋଡ଼ି ହୋଇଯାଇଛି ‘ଗୋ-ଫାଷ୍ଟ’। ଇଞ୍ଜିନ ତ୍ରୁଟି କେବଳ ଯାତ୍ରୀଙ୍କ ଜୀବନକୁ ବିପନ୍ନ କରେ ନାହିଁ, ବରଂ ପୂରା ଏୟାରଲାଇନ୍ସର ଜୀବନକୁ ସଂକ୍ଷିପ୍ତ କରିଦିଏ।

ବର୍ଷକ ତଳେ ଆଇପିଓ ରିଲିଜ କରିବାକୁ ଯୋଜନା କରିଥିବା ଗୋ-ଫାଷ୍ଟ ଏ ସପ୍ତାହରେ ନିଜକୁ ଦେବାଳିଆ ଘୋଷଣା କରିବାକୁ ନାସନାଲ କମ୍ପାନି ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିଛି। ବର୍ଷକ ଭିତରେ ଏମିତି କ’ଣ ବିଗିଡ଼ିଗଲା ଯେ ଦ୍ରୁତ ବିକାଶ ପଥରେ ଥିବା ଏକ ବିମାନ କମ୍ପାନି ଡୁବିଯିବା ଅବସ୍ଥାକୁ ଆସିଗଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋ-ଫାଷ୍ଟର ଏହି ଅବତରଣ ପଛରେ କେବଳ ଇଞ୍ଜିନ ବିଫଳତା ଏକମାତ୍ର କାରଣ ନା ଏହା ପଛରେ ପାରିବାରିକ ବିବାଦ ଅଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଗୋ-ଫାଷ୍ଟର ଏହି ଅବସ୍ଥା ପରେ ଏହାର କର୍ମଚାରୀମାନେ ଅନ୍ୟ ଏୟାରଲାଇନ୍ସରେ ଚାକିରି ଖୋଜିବା ଆରମ୍ଭ କରିଦେଲେଣି। ପାଇଲଟ ନିଯୁକ୍ତି ପାଇଁ ଏୟାର ଇଣ୍ଡିଆ ବିଭିନ୍ନ ସହରରେ ଓ୍ଵାକ-ଇନ୍ ଇଣ୍ଟରଭ୍ୟୁ କରୁଥିବାବେଳେ ଏଥିରେ ପ୍ରବଳ ଭିଡ଼ ହେଉଛି। ବିଶେଷ କରି ଗୋ-ଫାଷ୍ଟର ପାଇଲଟମାନେ ଚାକିରି ଆଶାରେ ଭିଡ଼ ଜମାଉଛନ୍ତି। ସ୍ଥିତି ଏମିତି ହେଉଛି ଯେ ଏୟାର ଇଣ୍ଡିଆକୁ  ଇଣ୍ଟରଭ୍ୟୁର ଅବଧି ବଢ଼ାଇବାକୁ ପଡ଼ୁଛି।

୨୦୦୫ ମସିହାରେ ଓ୍ଵାଡିଆ ଗ୍ରୁପ୍ (ବ୍ରିଟାନିଆ ଓ ବମ୍ବେ ଡାଇଂ ଦ୍ଵାରା ଗଠିତ କନ୍‌ସୋର୍ଟିୟମ) ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରିଥିଲା। ବିମାନସେବା ଏକ ଆହ୍ଵାନପୂର୍ଣ୍ଣ ବ୍ୟବସାୟ ହୋଇଥିଲେ ମଧ୍ୟ ସେମାନେ ଏଥିରେ ପ୍ରବେଶ କରିଥିଲେ। ସେତେବେଳେ ‘ଗୋ ଏୟାର’ ନାମରେ ଆରମ୍ଭ ହୋଇଥିବା ଏହି କମ୍ପାନି ପ୍ରଥମରୁ ଭଲ ବ୍ୟବସାୟ ଆରମ୍ଭ କରିଥିଲା। ଏହାର ମାର୍କେଟ ସେୟାର ୧୦ ପ୍ରତିଶତ ଯାଏ ବୃଦ୍ଧି ପାଇଥିଲା। ୨୦୨୦ରେ ଇଣ୍ଡିଗୋ ସହ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା କରୁଥିଲା ଗୋ-ଫାଷ୍ଟ।

ଟ୍ରାଭେଲ ବ୍ୟବସାୟରେ ଯେମିତି ଭଲ ଗାଡ଼ି ଓ ଡ୍ରାଇଭର ଦରକାର, ସେମିତି ବିମାନ ବ୍ୟବସାୟରେ ବି ଭଲ ବିମାନ ଓ ଭଲ ପାଇଲଟ୍ ଦରକାର। ଯେତେ ଦିନ ଯାଏ ଏ ଦୁଇଟି ଯାକ ଠିକ୍‌ଠାକ୍ ଅଛି ସେ ପର୍ଯ୍ୟନ୍ତ ବ୍ୟବସାୟ ପାଇଁ ଆଉ କିଛି ବୈଷୟିକ ସମସ୍ୟା ସୃଷ୍ଟି ହେବ ନାହିଁ। କିନ୍ତୁ ଗୋ-ଫାଷ୍ଟ ସହ ଏହାର ଓଲଟା ହିଁ ଘଟିଥିଲା। ପ୍ରଥମରୁ କମ୍ ମରାମତି ଖର୍ଚ୍ଚ ପାଇଁ ଏହା ବ୍ୟବସାୟରେ ଟକ୍କର ଦେବାକୁ ସକ୍ଷମ ହୋଇଥିଲା। କିନ୍ତୁ ପରେ ସବୁ ବିଗିଡ଼ି ଯାଇଥିଲା।

ବିମାନ ବ୍ୟବସାୟ ପାଇଁ ଏକାଧିକ ପାର୍ଟି ସହ ସମନ୍ଵୟ ରଖିବାକୁ ପଡ଼େ। ଯେମିତିକି ଏୟାର ବସ୍ କିମ୍ବା ବୋଇଂ ବିମାନ କିଣିବାକୁ ପଡ଼ିଥାଏ। କିନ୍ତୁ ଇଞ୍ଜିନ ଯୋଗାଇଥାନ୍ତି ଅଲଗା କମ୍ପାନି। ରୋଲ୍ ରୟେସ, ପ୍ରାଟ୍ ଆଣ୍ଡ ହ୍ଵିଟ୍‌ନି ଇଞ୍ଜିନ ଦେଇଥାନ୍ତି। ଏ ଦୁଇ ଅଲଗା ଅଲଗା ବ୍ୟବସ୍ଥାକୁ ଏକାଠି କରିବାକୁ ପଡ଼ିଥାଏ। ଏହା ସହିତ ଲାଭଦାୟୀ ରୁଟ୍ ଏବଂ ସମୟ ମଧ୍ୟ ବିମାନ ବ୍ୟବସାୟ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ।

କମ୍ପାନି ସୂତ୍ର ଅନୁସାରେ ଗୋ-ଫାଷ୍ଟ ପ୍ରାଟ୍ ଆଣ୍ଡ ହ୍ଵିଟ୍‌ନି ବା ପି ଆଣ୍ଡ ଡବ୍ଲୁଠାରୁ ଇଞ୍ଜିନ ଆଣିଥିଲା। କିନ୍ତୁ କିଛି ବର୍ଷ ପରେ ଇଞ୍ଜିନରେ ସମସ୍ୟା ଦେଖାଦେଇଥିଲା ବାରମ୍ବାର ମରାମତି ପରେ ମଧ୍ୟ ଏଗୁଡ଼ିକ ଉଡ଼ାଣ ଉପଯୋଗୀ ହୋଇ ନ ଥିଲା। ଏହାଫଳରେ ୨୦୧୮ ବେଳକୁ ଗୋ-ଫାଷ୍ଟର ୧୦ ପ୍ରତିଶତ ବିମାନ ଉଡ଼ାଣ ଅନୁପଯୋଗୀ ହୋଇ ପଡ଼ିରହିଲା।

ଏ ସମସ୍ୟା ସେତିକିରେ ଶେଷ ହୋଇ ନ ଥିଲା। ୨୦୨୧ ବେଳକୁ ୩୦ ପ୍ରତିଶତ ଏବଂ ଏ ପର୍ଯ୍ୟନ୍ତ ୫୦ ପ୍ରତିଶତ ବିମାନ ଉଡ଼ାଣ ଅନୁପୋଯୋଗୀ ହୋଇଯାଇଛି। ଦେବାଳିଆ ଆବେଦନ ପୂର୍ବରୁ କମ୍ପାନିର ୫୪ଟି ବିମାନକୁ ଉଡ଼ାଣ ଅନୁମତି ମିଳି ନ ଥିଲା। ଏହାଫଳରେ ୨୦୨୧ ଆର୍ଥିକ ବର୍ଷରେ କମ୍ପାନିର କ୍ଷତିର ପରିମାଣ ୮୭୦ କୋଟି ଟଙ୍କା ଥଲା। ୨୦୨୨ ଆର୍ଥିକ ବର୍ଷ ବେଳକୁ ଏହା ୧୮ଶହ କୋଟିରେ ପହଞ୍ଚିଥିଲା।

ବିମାନର ଇଞ୍ଜିନ ତ୍ରୁଟି ଏକ ବାହ୍ୟ ସମସ୍ୟା ଥିଲା। କିନ୍ତୁ ଏହାକୁ ସମାଧାନ କରିବାରେ ବିଫଳ ହୋଇଥିଲା କମ୍ପାନି। କିଛି ସୂତ୍ର ଅନୁସାରେ ଓ୍ଵାଡିଆ ପରିବାର ମଧ୍ୟରେ ବିବାଦ ଯୋଗୁ ଗୋ-ଫାଷ୍ଟ ପରିଚାଳନାରେ ମଧ୍ୟ ବାରମ୍ବାର ଅସୁବିଧା ଦେଖାଦେଉଥିଲା। ଦକ୍ଷ ପରିଚାଳନାର ଅଭାବ ଯୋଗୁ ଗୋ-ଫାଷ୍ଟର କ୍ଷତି ହୋଇଥିଲା। ଯାହା ଶେଷରେ ବିମାନ କମ୍ପାନିକୁ ସ୍ଥାୟୀ ଅବତରଣ ପାଇଁ ବାଧ୍ୟ କରିଥିଲା।

୨୦୧୬ରେ ଇଣ୍ଡିଗୋ ମଧ୍ୟ ଇଞ୍ଜିନଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲା। କିନ୍ତୁ କମ୍ପାନି ଅଧିକ ବିମାନ ଖରାପ ହେବାଯାଏ ଅପେକ୍ଷା ନ କରି ଏସବୁକୁ ତ୍ଵରିତ ବଦଳାଇବାକୁ ଯୋଜନା କରିଥିଲା। ପି ଆଣ୍ଡ ଡବ୍ଲୁଇଞ୍ଜିନ ବଦଳାଇ ଦେଇଥିଲା ଇଣ୍ଡିଗୋ। ଖାଲି ସେତିକି ନୁହେଁ ଇଞ୍ଜିନ ତ୍ରୁଟି ହୋଇଥିବା କ୍ଷତିପୂରଣ ମଧ୍ୟ ହାସଲ କରିଥିଲା ଇଣ୍ଡିଗୋ।

ଇଣ୍ଡିଗୋ ଭଳି ଗୋ-ଫାଷ୍ଟ ଏପରି କରି ନ ପାରିବା ପଛରେ ଆଭନ୍ତରୀଣ ସମସ୍ୟାକୁ ଦାୟୀ କରାଯାଉଛି। ଗୋ-ଫାଷ୍ଟ ପି ଆଣ୍ଡ ଡବ୍ଲୁ କମ୍ପାନି ସହ ଆଇନର ଲଢ଼େଇ ନ ଲଢ଼ି ହାର୍ ମାନିଯିବା ଏ ସମ୍ପର୍କରେ ଜ୍ଞାନ ରଖିଥିବା ସଂସ୍ଥା ଓ ବ୍ୟକ୍ତିଙ୍କୁ ଚକିତ କରିଛି।

ବିଶେଷଜ୍ଞଙ୍କ କହିବା କଥା ନିଜକୁ ଦେବାଳିଆ ଘୋଷଣା କରି ଗୋ-ଫାଷ୍ଟ ସମୟ ହାସଲ କରିବା ପାଇଁ ଚେଷ୍ଟା କରିଛି। ଯଦି ନିର୍ଦ୍ଧାରିତ ସମୟ ଭିତରେ ଅର୍ଥ ଯୋଗାଡ଼ ହୁଏ ତେବେ ହୁଏତ ବିମାନ ଉଡ଼ାଣକୁ ଧୀରେ ଧୀରେ ସ୍ଵାଭାବିକ କରିହେବ।

ଏବେ ବି ଆର୍ଥିକ ସମସ୍ୟାର ସମାଧାନ ପାଇଁ ଅନେକ ରାସ୍ତା ଅଛି। କିନ୍ତୁ କମ୍ପାନି ଓ ଏହାର ପ୍ରମୋଟରମାନଙ୍କୁ ଏଥିପାଇଁ ଚେଷ୍ଟା କରିବାକୁ ପଡ଼ିବ। ବିମାନ ଇଞ୍ଜିନ ଯୋଗାଇଥିବା ପି ଆଣ୍ଡ ଡବ୍ଲୁଠାରୁ କ୍ଷତିପୂରଣ ଆଦାୟ କରିବା ଏବଂ ଗୋ-ଫାଷ୍ଟର ପ୍ରମୋଟରମାନେ ଅଧିକ ଆର୍ଥିକ ସହାୟତା ପ୍ରଦାନ କଲେ ଗୋ-ଫାଷ୍ଟ ପୁଣି ଉଡ଼ାଣ ଭରିପାରିବ।

ଅନ୍ୟପଟେ ଏବେ କମ୍ପାନିର ପ୍ରମୋଟରମାନେ ଆଉ ଏ ବ୍ୟବସାୟ କରିବାକୁ ଚାହୁଁ ନ ଥିବାରୁ ନିଜକୁ ଦେବାଳିଆ ଘୋଷଣା କରିଛି ଗୋ-ଫାଷ୍ଟ। ଯଦି ପ୍ରମୋଟରମାନେ ନିଜ ଅଂଶଧନ ବିକି ଏଠାରୁ ବାହାରିଯିବାକୁ ଚାହୁଁଛନ୍ତି ତେବେ ଗୋ-ଫାଷ୍ଟକୁ ଜଣେ କ୍ରେତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

ଗୋ-ଫାଷ୍ଟ ବନ୍ଦ ହୋଇଗଲେ, ଏହାର ଦୈନିକ ୪୦ ହଜାର ଅନ୍ତର୍ଦେଶୀୟ ଯାତ୍ରୀ ଅନ୍ୟ ବିମାନ କମ୍ପାନିକୁ ବାଛିବେ। ଯାହା ସେମାନଙ୍କ ମନୋମୁଖୀ କାର୍ଯ୍ୟକଳାପ ସହ ବିମାନ ଭଡ଼ାକୁ ବୃଦ୍ଧି କରିବ। ଶେଷ ଖବର ଅନୁସାରେ ଗୋ-ଫାଷ୍ଟ ଉଡ଼ାଣ ବନ୍ଦ କରିବା ପରେ ଇଣ୍ଡିଗୋ, ସ୍ପାଇସଜେଟ୍ ଓ ଜେଟ୍ ଏୟାରଓ୍ଵେଜର ମାର୍କେଟ ସେୟାର ୮ ପ୍ରତିଶତ ବଢ଼ିଯାଇଛି।

ପୂର୍ବେ ବନ୍ଦ ହୋଇଥିବା ଘରୋଇ ଏୟାରଲାଇନ୍ସ

ପରିଚାଳନାଗତ ତ୍ରୁଟି ହେଉ କିମ୍ବା ଅର୍ଥ ଅଭାବ ପାଇଁ ପୂର୍ବରୁ ଅନେକ ଦେଶୀ ବିମାନ କମ୍ପାନିଗୁଡ଼ିକ ବନ୍ଦ ହୋଇଯାଇଥିଲା। କିଛି ବିମାନ କମ୍ପାନିର ବିକ୍ରି ବା ଅନ୍ୟ କମ୍ପାନି ସହ ମିଶ୍ରଣ ହୋଇଥିଲା। ୧୯୯୩ରେ ଆରମ୍ଭ ହୋଇଥିବା ଏୟାର-ସାହାରା ୨୦୦୬ରେ ବିକ୍ରି ହୋଇଯାଇଥିଲା।

ଜେଟ୍ ଏୟାରଓ୍ଵେଜ ଏୟାର ସାହାରାକୁ କିଣି ନେଇଥିଲା। ୧୭.୮ ପ୍ରତିଶତ ମାର୍କେଟ ସେୟାର ସହ ବେଶ ଭଲ ବ୍ୟବସାୟ କରୁଥିଲା ଦେଶର ସର୍ବପୁରାତନ ଏହି ଘରୋଇ ବିମାନ କମ୍ପାନି। ଏହାପରେ ବଜାରରେ ସ୍ପାଇସଜେଟ୍ ଓ ଇଣ୍ଡିଗୋ ସହ ପ୍ରତିଦ୍ଵନ୍ଦ୍ଵିତା କରି ନ ପାରିବାରୁ ୨୦୧୯ରେ ଏହା ବନ୍ଦ ହୋଇଯାଇଥିଲା।

୨୦୦୫ରେ ଏୟାର ଲାଇନ୍ସ ବ୍ୟବସାୟରେ ପ୍ରବେଶ କରିଥିଲେ ବିଜୟ ମାଲ୍ୟା। ସେ କିଙ୍ଗଫିସର୍ ଏୟାରଲାଇନ୍ସର ଶୁଭାରମ୍ଭ କରିଥିଲେ। ମୂଳରୁ ଏହା କ୍ଷତିରେ ଚାଲୁଥିଲା ଏବଂ ଋଣ ବୋଝ ବଢ଼ିବାରେ ଲାଗିଥିଲା। ପ୍ରବଳ କ୍ଷତି ସତ୍ତ୍ଵେ ୨୦୦୭ରେ ବିଜୟ ମାଲ୍ୟା ଆଉ ଏକ ଦେବାଳିଆ ବିମାନ କମ୍ପାନି ଏୟାର ଡେକାନକୁ କିଣିଥିଲେ। ଏହା ପରେ ବ୍ୟବସାୟରେ ତିଷ୍ଠିବା ଆହୁରି କଷ୍ଟକର ହୋଇପଡ଼ିଥିଲା। ଶେଷରେ ୨୦୧୨ରେ ଏହା ବନ୍ଦ ହୋଇଯାଇଥିଲା।

ସେହିପରି ପାରାମାଉଣ୍ଟ ଏୟାରଓ୍ଵେଜ, ବାୟୁଦୂତ୍ ଏୟାରଲାଇନସ, ଇଣ୍ଡିଆନ ଏୟାରଲାଇନ୍ସ, ଏୟାରପେଗାସସ, ଏୟାର ମନ୍ତ୍ରା, ଏୟାର କାର୍ନିଭାଲ, ଏୟାର ଡେକାନ, ଏମ୍‌ଡିଏଲ୍ଆର୍ ଏୟାର ଲାଇନ୍ସ, ଇଷ୍ଟଓ୍ଵେଷ୍ଟ ଏୟାରଲାଇନ୍ସ, ମୋଦିଲଫ୍ଟ, କଳିଙ୍ଗ ଏୟାର ଲାଇନ୍ସ ଭଳି ବିମାନ କମ୍ପାନି ମଧ୍ୟରୁ ଅନେକ ବନ୍ଦ ହୋଇଥିଲା କିମ୍ବା ଅନ୍ୟ ବଡ଼ କମ୍ପାନି ସହ ଏଗୁଡ଼ିକର ବିଲୟ ହୋଇଯାଇଥିଲା।

Tags: #GoFirst #Bankruptcy #PrivetAirlines #IndianAviationMarket

Comment