ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ କର୍ପୋରେଟ୍ ହେଉ କି ଛୋଟ ଉଦ୍ୟୋଗ, ଉଚ୍ଚ ଡିଗ୍ରୀଧାରୀଙ୍କ ଅପେକ୍ଷା ଆସାଇନମେଣ୍ଟ ସମ୍ପନ୍ନ କରିବାର ଦକ୍ଷତାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ନିଯୁକ୍ତିଦାତା।

୨୦ ବର୍ଷ ତଳେ ଉଚ୍ଚ ଡିଗ୍ରୀକୁ ଅଧିକ ଗୁରୁତ୍ଵ ଦେଉଥିଲେ ନିଯୁକ୍ତିଦାତା। ନିଯୁକ୍ତିର ପ୍ରାକ୍ ସର୍ତ୍ତ ସବୁବେଳେ ଅନୁଷ୍ଠାନ ବା ଉଦ୍ୟୋଗର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେଉନଥିଲା। କ୍ୟାରିୟର ମାର୍କିଂ ପୂରା ଶିଖରରେ ଥିଲେ ମଧ୍ୟ  ଅନେକ ସମୟରେ  ଏକାଡେମିକ ଟପ୍ପର ପ୍ରାକ୍ଟିକାଲ କ୍ଷେତ୍ରରେ ପଛରେ ପଡ଼ିଯାଉଥିଲେ। ଏବେ ସ୍ଥିତି ବଦଳିଛି, ନିଯୁକ୍ତିଦାତା ଶିକ୍ଷାଗତ ଡିଗ୍ରୀ ସହ ଦକ୍ଷତାକୁ ବି ଗୁରୁତ୍ଵ ଦେଉଛନ୍ତି।

ଏକ ସର୍ଭେ ରିପୋର୍ଟ ଅନୁସାରେ ବିଭିନ୍ନ ବୃତ୍ତିଧାରୀ ସେମାନଙ୍କ ଡିଗ୍ରୀ ସହିତ ବୃତ୍ତି ସମ୍ପର୍କିତ ବିଭିନ୍ନ ଦକ୍ଷତା ହାସଲ କରିବାକୁ ଚେଷ୍ଟା କରୁଛନ୍ତି। କାରଣ କେବଳ ଡିଗ୍ରୀ ଜରିଆରେ ନିଯୁକ୍ତିଦାତାଙ୍କ ଆଶା ଓ ଆବଶ୍ୟକତା ପୂରଣ କରିବା ସମ୍ଭବ ହେଉନାହିଁ। ୮୦ ପ୍ରତିଶତ ବୃତ୍ତିଧାରୀ ଏବେ ମାନୁଛନ୍ତି ଯେ ଡିଗ୍ରୀ ଅପେକ୍ଷା ସ୍କିଲ୍ ବା ଦକ୍ଷତା ଅଧିକ ଗୁରୁତ୍ଵପୂର୍ଣ୍ଣ।

ବିଭିନ୍ନ ଜବ୍ ସାଇଟ୍‌ର ତଥ୍ୟକୁ ଅଧାର କରି ପ୍ରସ୍ତୁତ ଏହି ରିପୋର୍ଟ ଅନୁସାରେ ପ୍ରଫେସନାଲମାନେ ଏବେ ଡିଗ୍ରୀ ସହ ବିଭିନ୍ନ ଅନୁଷ୍ଠାନରୁ ସ୍କିଲ ବା ଦକ୍ଷତା ବୃଦ୍ଧି ସମ୍ପର୍କିତ ତାଲିମ ନେବାକୁ ପସନ୍ଦ କରୁଛନ୍ତି। ପ୍ରାୟ ୭୬ ପ୍ରତିଶତ ପ୍ରଫେସନାଲ ଏବେ କ୍ୟାରିଅରକୁ ସଠିକ୍ ରୂପ ଦେବା ପାଇଁ ଏହି ରାସ୍ତାରେ ଚାଲିଛନ୍ତି।job

ଯୁବ ପ୍ରଫେସନାଲମାନେ ଏବେ ନିଜକୁ ସମୟ ସହ ତାଳ ଦେଇ ଚାଲୁଛନ୍ତି। ଯେ କୌଣସି ଉତ୍ଥାନପତନ ସହ ଖାପ୍ ଖୁଆଇ ପାରୁଛନ୍ତି। ଯଦିଓ ବେତନ ସବୁବେଳେ ଏକ ଗୁରୁତ୍ଵପୂର୍ଣ୍ଣ ଆକର୍ଷଣ ରହିଆସିଛି କିନ୍ତୁ ଏଥିପାଇଁ ସବୁ ପରିସ୍ଥିତି ଆଗରେ ମୁଣ୍ଡ ନୁଆଇଁବା ପାଇଁ ଯୁବ ପ୍ରଫେସନାଲମାନେ ରାଜି ହେଉନାହାନ୍ତି। ନିଜ ନୈତିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ସେମାନେ କାମ କରିବାକୁ ଚାହୁଁନାହାନ୍ତି। ଖାସ୍ ଏଥିପାଇଁ ସେମାନେ ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ନେଇ ନିଜ ଦକ୍ଷତାର ବିକାଶ କରୁଛନ୍ତି ବୋଲି ବିଶ୍ଵର ଏକ ପ୍ରତିଷ୍ଠିତ ଜବ୍ କନ୍‌ସଲ୍‌ଟାନ୍ସିର ବରିଷ୍ଠ ଅଧିକାରୀ କହିଛନ୍ତି।

ସର୍ଭେର ରିପୋର୍ଟ ଅନୁସାରେ ୮୨ ପ୍ରତିଶତ ଭାରତୀୟ ବୃତ୍ତିଧାରୀଙ୍କ କହିବା କଥା ଯେ ନିୟୁକ୍ତିଦାତାମାନେ ଏବେ ନିଯୁକ୍ତି ସମୟରେ ଅଭିଜ୍ଞତା ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କାମ କରିବାର ଦକ୍ଷତା ଥିଲେ ସମ୍ପୃକ୍ତ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ ପଛାଉ ନାହାନ୍ତି।

ଗତ ୬/୭ ବର୍ଷ ହେଲା ନିଯୁକ୍ତି ପ୍ରାକ୍ ସର୍ତ୍ତାବଳୀ ଭିତରେ ସ୍କିଲ୍‌କୁ ଗୁରୁତ୍ଵ ଦିଆଯିବା ଆରମ୍ଭ ହୋଇଛି। ୮୪ ପ୍ରତିଶତ ପ୍ରଫେସନାଲଙ୍କ କହିବା କଥା ଭବିଷ୍ୟତରେ ନିଯୁକ୍ତିଦାତାମାନେ ଡିଗ୍ରୀ ଅପେକ୍ଷା ଦକ୍ଷତାକୁ ସର୍ବାଧିକ ଗୁରୁତ୍ଵ ଦେବେ। ବିବିଧ ଦକ୍ଷତାସମ୍ପନ୍ନ ପ୍ରଫେସନାଲଙ୍କୁ ଅଧିକ ଗୁରୁତ୍ଵ ମିଳିବ।

ଅପ୍‌ସ୍କିଲିଂ ବା ଦକ୍ଷତା ବୃଦ୍ଧି ଆଜିର ନୂଆ ଟ୍ରେଣ୍ଡ୍। ୮୭ ପ୍ରତିଶତ ପ୍ରଫେସନାଲଙ୍କ କହିବା କଥା ସମୟ ଓ ଆବଶ୍ୟକତା ଅନୁସାରେ ନିଜର ଦକ୍ଷତା ବୃଦ୍ଧି କରିବା ଦରକାର। ନୂଆ ନୂଆ କୌଶଳ ଶିଖିବା ପାଇଁ ସମୟ ଦେବା ଦରକାର। ଏହା ଦ୍ଵାରା ହିଁ ଜଣେ ପ୍ରଫେସନାଲ ଦୀର୍ଘସମୟ ଯାଏଁ ନିଯୁକ୍ତି ବଜାରରେ ପ୍ରାସାଂଗିକ ହୋଇ ରହିପାରିବ।

ଆଜିକାଲି ଗୋଟେ ଶକ୍ତିଶାଳୀ ନେଟଓ୍ଵର୍କ ବି ନିଯୁକ୍ତିର ସମ୍ଭାବନାକୁ ବୃଦ୍ଧି କରିପାରିବ। କ୍ୟାରିଅରରେ ସଫଳତା ପାଇବା ପାଇଁ ହେଲେ ସମ୍ପର୍କ ବି ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ଅନେକ ପ୍ରଫେସନାଲଙ୍କ ମତ। ନେଟ୍ଓ୍ଵର୍କିଂ ସ୍କିଲ୍ ସଫଳ କ୍ୟାରିଅର ପାଇଁ ବେଶ ଜରୁରୀ ବୋଲି ସର୍ଭେରେ ଭାଗ ନେଇଥିବା ୮୭ ପ୍ରତିଶତ ପ୍ରଫେସନାଲଙ୍କ ମତ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ସମୟ ଆସୁଥିବା ବେଳେ ନିଜକୁ ବଜାର ଉପଯୋଗୀ କରିବା ପାଇଁ ଡିଗ୍ରୀ ସହିତ ଉଚ୍ଚଦକ୍ଷତାସମ୍ପନ୍ନ ହେବା ନିହାତି ଜରୁରୀ ବୋଲି ବହୁ ବିଶ୍ଵସ୍ତରୀୟ ଜବ୍‌ କନ୍‌ସଲ୍‌ଟାନ୍ସିଂଙ୍କ ମତ।

Tags: #Job #Employment #Career #EligibilityCriteria #Professionals

Comment