ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲିଜ ପୂର୍ବରୁ ବିବାଦରେ ରହିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ଏବେ ବିବାଦ-ସମର୍ଥନ ମଧ୍ୟରେ ଆଗକୁ ବଢ଼ିବାକୁ ଲାଗିଛି।

‘ଦ କେରଳ ଷ୍ଟୋରି’କୁ କେଉଁଠି ସମର୍ଥନ ମିଳୁଛି ତ କେଉଁଠି ବିରୋଧ କରାଯାଉଛି। ଏହି ଫିଲ୍ମ ପ୍ରଦର୍ଶନକୁ ବ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଏପଟେ ଉତ୍ତରପ୍ରଦେଶ ସରକାର ଚଳଚ୍ଚିତ୍ରକୁ ସମର୍ଥନ କରିବା ସହ ଏହା ଉପରୁ କରମୁକ୍ତ କରିଛନ୍ତି। ଫିଲ୍ମର ନିର୍ମାତାଙ୍କୁ ଫାଶୀ ଦେଇଯିବା ଦରକାର ବୋଲି କହିଛନ୍ତି ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ଵାଡ।

ଗତ ସପ୍ତାହରେ ରିଲିଜ ହୋଇଥିଲା ‘ଦ କେରଳ ଷ୍ଟୋରି’। ଏହି ଚଳଚ୍ଚିତ୍ରର ନିର୍ମାତା ବିପୁଲ ଅମୃତଲାଲ ଶାହ ରହିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତୋ ସେନ। ନର୍ସ ହେବାକୁ ଚାହୁଁଥିବା ଯୁବତୀ କିପରି ଆଇଏସଆଇଏସର ଆତଙ୍କବାଦୀରେ ପରିଣତ ହୋଇଗଲେ ତାକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମର କାହାଣୀ। ଚଳଚ୍ଚିତ୍ରଟିରେ ଧର୍ମ ପରିବର୍ତ୍ତ ପ୍ରସଂଗ ଉଠିଛି।

ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଏହି ଚଳଚ୍ଚିତ୍ର ଉପରେ କରଛାଡ଼ କରାଯାଇଥିବା ବେଳେ ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ଵାଡ ଚଳଚ୍ଚିତ୍ରକୁ ଘୋର ବିରୋଧ କରିଛନ୍ତି। ସେ କହିଛନ୍ତି, “କେରଳ ଫାଇଲ ନାଁରେ ଗୋଟିଏ ରାଜ୍ୟକୁ ବଦନାମ କରାଯାଉଛି ଏବଂ ସେଠାକାର ମହିଳାମାନଙ୍କୁ ମଧ୍ୟ ଅପମାନିତ କରାଯାଉଛି। ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରାଯାଉଛି। ଏହି ଫିଲ୍ମର ନିର୍ମାତା ଯିଏବି ହୁଅନ୍ତୁନା କାହିଁକି ତାଙ୍କୁ ଫାଶୀ ଦେଇଦେବା ଦରକାର।”

ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ମୁଣ୍ଡ ଟେକି ଥିବାବେଳେ ଏହାକୁ ବ୍ୟାନ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ମଧ୍ୟ କରାଯାଇଥିଲା। ଏହି ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିବାବେଳେ ହାଇକୋର୍ଟ ଫିଲ୍ମକୁ ବ୍ୟାନ କରିବାକୁ ମାନ କରିଥିଲେ। ଏହା ପରେ ୩୨,୦୦୦ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରାଯିବା ଆକଳନକୁ ଚଳଚ୍ଚିତ୍ରରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

‘ଦ କେରଳ ଷ୍ଟୋରି’ ପଶ୍ଚିମବଙ୍ଗରେ ବ୍ୟାନ

‘ଦ କେରଳ ଷ୍ଟୋରି’କୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ। ପଶ୍ଚିମବଙ୍ଗ ସରକାର ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ରୋକ ଲଗାଇବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ବିଜେପି ଜାଣିଶୁଣି ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରୁଛି। ଏଭଳି କାର୍ଯ୍ୟ ଗୋଟିଏ ରାଜନୈତିକ ଦଳ ପାଇଁ ଶୋଭନୀୟ ନୁହେଁ ବୋଲି କହିଛନ୍ତି ମମତା। କବେଳ ସେତିକି ନୁହେଁ ମନଗଢ଼ା କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସ ନିର୍ମାଣ କରିବାକୁ ଫିଲ୍ମ ନିର୍ମାତାଙ୍କୁ ବିଜେପି ଟଙ୍କା ଦେଇଥିବା ସେ ଅଭିଯୋଗ କରିଛନ୍ତି।

ସମର୍ଥନ କରୁଛନ୍ତି ବିଜେପି ଶାସିତ ରାଜ୍ୟ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ‘ଦ କେରଳ ଷ୍ଟୋରି’ କଥା ଉଠାଇବା ସହ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏହା ପରେ ବିଜେପି ଶାସିତ ରାଜ୍ୟମାନେ ଏହି ଚଳଚ୍ଚିତ୍ରକୁ ସମର୍ଥନ ଦେଇଥିବା ଦେଖିବାକୁ ମିଳିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମାନଙ୍କ ଗହଣରେ ଏହି ଚଳଚ୍ଚିତ୍ରଟିକୁ ଦେଖିଥିଲେ।

ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ କହିଥିଲେ, “ବହୁତ ଦୁଃଖର ବିଷୟ ଏଭଳି ଏକ ଚଳଚ୍ଚିତ୍ରକୁ ପଶ୍ଚିମବଙ୍ଗ ସରକାର ବ୍ୟାନ କରିଦେଲେ। ସମସ୍ତଙ୍କୁ ଏହି ଚଳଚ୍ଚିତ୍ରଟି ଦେଖିବା ଦରକାର। ଆମେ ଟ୍ୟାକ୍ସ ଫ୍ରି କରୁଛୁ ହେଲେ ପଶ୍ଚିମବଙ୍ଗ ଏହାକୁ ନେଇ ରାଜନୀତି କରୁଛି।”

ମଧ୍ୟମପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ‘ଦ କେରଳ ଷ୍ଟୋରି’ ଚଳଚ୍ଚିତ୍ର ଦେଖିବା ସହ ଏହାକୁ ସମର୍ଥନ କରିଛନ୍ତି।

କ’ଣ ରହିଛି ଫିଲ୍ମର କାହାଣୀ?

ତିନି ଜଣ ଯୁବତୀଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ‘ଦ କେରଳ ଷ୍ଟୋରି’। ଶାଳିନୀ, ନୀମା ଏବଂ ଗୀତାଞ୍ଜଳି ନର୍ସ ହେବା ପାଇଁ ନିଜ ଘରଠାରୁ ଦୂର କଲେଜକୁ ଯାଇଥାନ୍ତି। ସେଠାରେ ଆସିଫା ନାମକ ଯୁବତୀ ସହ ସେମାନଙ୍କର ସାକ୍ଷାତ ହୁଏ। ଆସିଫା ଆଇଏସଆଇଏସ ପାଇଁ ଯୁବତୀଙ୍କୁ ନିଯୁକ୍ତ କରୁଥିବା ପରେ ଜଣାପଡ଼େ। ପରେ ନିଜ ସହଯୋଗୀଙ୍କ ସହ ମିଶି ଶାଳିନୀ, ନୀମା ଏବଂ ଗୀତାଞ୍ଜଳିଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଉସକାଇବାକୁ ଲାଗନ୍ତି ଏବଂ ସର୍ବପ୍ରଥମେ ଜଣେ ଧର୍ମ ପରିବର୍ତ୍ତନ କରିବାକୁ ରାଜି ହୋଇଯାନ୍ତି। ନର୍ସ ହେବାକୁ ଚାହୁଁଥିବା ଯୁବତୀ କିପରି ଆଇଏସଆଇଏସର ଆତଙ୍କବାଦୀରେ ପରିଣତ ହୋଇଗଲେ ତାକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମର କାହାଣୀ।

ବିବାଦ ଭିତରେ ଭଲ ରୋଜଗାର କରୁଛି ‘ଦ କେରଳ ଷ୍ଟୋରି’

ବିବାଦ ଭିତରେ ଭଲ ରୋଜଗାର କରୁଛି ‘ଦ କେରଳ ଷ୍ଟୋରି’। କମ୍ ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମଟି ମାତ୍ର ୪ ଦିନରେ ୪୫ କୋଟି ଉପରେ କଲେକ୍ସନ କରିଛି। ଉତ୍ତରପ୍ରଦେଶ ଏବଂ ବିହାରରେ ଟ୍ୟାକ୍ସ ଫ୍ରି କରାଯାଇଛି। ଏହି ଚଳଚ୍ଚିତ୍ରଟିକୁ ଦେଖିବାକୁ ହଲମାନଙ୍କରେ ଦର୍ଶକଙ୍କ ଭିଡ଼ ଜମୁଛି।

Tags: #Entertainment #TheKeralaStory #Movie #HindiCinema #Controversy

Comment