ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପରେ ବିଶ୍ଵ ମହାମାରୀ ତାଲିକାରୁ ମଙ୍କିପକ୍ସକୁ ବାଦ ଦିଆଯାଇଛି। ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁବାର ଦିନ ଘୋଷଣା କରାଯାଇଛି।

ବିଶ୍ଵରେ ମଙ୍କିପକ୍ସ ସଂକ୍ରମଣ ହ୍ରାସ ପାଇଛି। ବର୍ତ୍ତମାନ ଏହା ସାଧାରଣ ସମସ୍ୟା ହୋଇଥିବାରୁ ଏହାକୁ ବିଶ୍ଵ ମହାମାରୀ ତାଲିକାରୁ ବାଦ ଦିଆଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଗୁରୁବାର ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଧାନୋମ୍ ଗେବ୍ରେଏସ୍ ଏନେଇ ଘୋଷଣା କରିଛନ୍ତି।

”ବିଶ୍ଵସ୍ତରରେ ମଙ୍କିପକ୍ସ ସଂକ୍ରମଣ କମିଛି। ତେଣୁ ଏଭଳି ସ୍ଥିତିରେ ଏହାକୁ ଆଉ ଜରୁରୀ ସ୍ଵାସ୍ଥ୍ୟ ସମସ୍ୟା ବୋଲି କୁହାଯାଇପାରିବ ନାହିଁ। ତେଣୁ ଏହାକୁ ବିଶ୍ଵ ମହାମାରୀ ତାଲିକାରୁ ବାଦ ଦେବାକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ବୈଠକରେ ନିଷ୍ପତି ହୋଇଛି”, କହିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଧାନୋମ୍ ଗେବ୍ରେଏସ୍।ସଂକ୍ରମଣ କମିଥିଲେ ମଧ୍ୟ ଅବହେଳା ନକରି ଏଥିପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଙ୍କିପକ୍ସ ଭୂତାଣୁ ଆଫ୍ରିକା ସମେତ ବିଭିନ୍ନ ଦେଶରେ ସକ୍ରିୟ ରହିଛି। ସେଠାରେ ସଂକ୍ରମଣ ସମ୍ପୂର୍ଣ୍ଣ ରୂପେ ଦୂର ହୋଇନାହିଁ। ୨୦୨୨ରୁ ୨୦୨୩ ମସିହା ମେ’ ୮ ତାରିଖ ପର୍ଯ୍ୟନ୍ତ ୮୭ ହଜାର ମଙ୍କିପକ୍ସ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି।  ଏହି ମହାମାରୀ ୧୧୧ଟି ଦେଶକୁ ବ୍ୟାପିଥିଲା। ଗତ ବର୍ଷ ତୁଳନାରେ ଗତ ତିନିମାସ ମଧ୍ୟରେ ମଙ୍କିପକ୍ସ ସଂକ୍ରମଣ ହାର ୯୦ ପ୍ରତିଶତ କମିଛି।ସୂଚନାଯୋଗ୍ୟ,ପୂର୍ବରୁ ୨୦୨୨ ମସିହା ଜୁଲାଇ ମାସରେ ମଙ୍କିପକ୍ସକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପକ୍ଷରୁ ବିଶ୍ଵ ମହାମାରୀ ଘୋଷଣା କରାଯାଇଥିଲା।

Tags: #MonkeyPox #WorldHealthEmergency #WHO #Health

Comment