ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣପୂର୍ବ ତତସଂଲଗ୍ନ କେନ୍ଦ୍ରୀୟ ବୋଙ୍ଗୋପସାଗର ଅଞ୍ଚଳରେ ଅତିଭୀଷଣ ବାତ୍ୟାରେ ପରିଣତ ହେଲା ‘ମୋକା’। ମୋକା ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ଉତ୍ତର ଆଡ଼କୁ ଗତି କରୁଛି। ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ।

ମୋକା ୧୩.୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୮.୧ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିବା ସହ ପୋର୍ଟବ୍ଲେୟରଠାରୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ୫୨୦ କିଲୋମିଟର, ବାଂଲାଦେଶର କକ୍ସବଜାରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୧୦୧୦ କିଲୋମିଟର ଏବଂ ମିଆଁମାରର ସ୍ୱଇଟେଠାରୁ ସମାନ ଦିଗରେ ୯୩୦ କିଲୋମିଟର ଦୂରରେ ସକ୍ରିୟ ରହିଛି।

ଏହା ଧୀରେ ଧୀରେ ଗତିର ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।

ଆସନ୍ତା ୧୪ ତାରିଖ ସକାଳ ସୁଦ୍ଧା ବାତ୍ୟା ବାଂଲାଦେଶ ବକ୍ସବଜାର ଓ ମିଆଁମାର କାଉକିପିଉ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି। ବାତ୍ୟା ଉପକୂଳ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଉପକୂଳ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟା ବାଂଲାଦେଶ-ମିଆଁମାର ମୁହାଁ ହେଉଥିବାରୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Tags: #Cyclone #Mocha #WeatherUpdate #WestBengal #LowPressure #RainFall #IMD

LEAVE A REPLY

Please enter your comment!
Please enter your name here