ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହେଲା। ଭୁବନେଶ୍ଵରରୁ ଦୁବାଇକୁ ସିଧାସଳଖ ଉଡ଼ିଲା ଇଣ୍ଡିଗୋ ବିମାନ। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଉଡ଼ାଣ ସେବାର ଶୁଭାରମ୍ଭ କରିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୭୦ ଯାତ୍ରୀଙ୍କୁ ଧରି ଦୁବାଇ ଅଭିମୁଖେ ଉଡ଼ାଣ ଭରିଛି ବିମାନ।

ଓଡ଼ିଶାରୁ ଦୁବାଇକୁ ସିଧାସଳଖ ବିମାନ ସେବାର ଶୁଭାରମ୍ଭ କରି ଖୁସି ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ତର୍ଜାତୀୟ ବିମାନ ସେବାର ପ୍ରଥମ ଦିନରେ ଦୁବାଇ ଅଭିମୁଖେ ଯାତ୍ରା କରିଥିବା ମିଶନ ଶକ୍ତିର ମା’ମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିବା ସହ ଅନ୍ୟ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦୁବାଇକୁ ପ୍ରଥମ ଉଡ଼ାଣରେ ଯାତ୍ରୀଙ୍କ ସହ ମିଶନ ଶକ୍ତି ସଦସ୍ୟ, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ସଦସ୍ୟ, କ୍ରୀଡ଼ାବିତ ପ୍ରମୁଖ ଯାତ୍ରା କରିଛନ୍ତି। ଯାତ୍ରୀମାନଙ୍କୁ ଉତ୍ତରୀୟ, ଓଡ଼ିଶା ପର୍ଯ୍ୟଟନ କିଟ୍ ବ୍ୟାଗ୍, ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରାଯାଇଥିଲା।

ଏହା ପୂର୍ବରୁ ପ୍ରଥମ ଥର ଲାଗି ସିଧାସଳଖ ବିମାନରେ ଦୁବାଇରୁ ଭୁବନେଶ୍ଵର ଆପହଞ୍ଚି ଥିଲେ ଯାତ୍ରୀ। ଯାତ୍ରୀମାନଙ୍କୁ ବିମାନବନ୍ଦରରେ ଫୁଲ ଦେଇ ସ୍ଵାଗତ କରାଯାଇଥିଲା।

Tags: #DirectFlightService #BhubaneswarToDubai #CMOdisha #NaveenPatnaik #Inauguration #DubaitoBhubaneswar #Flight

Comment