ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରୁ ଆସାମର ଗୌହାଟୀକୁ ବିମାନ ସେବା ଆରମ୍ଭ କରିବା ପାଇଁ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇଏଲ୍) ପକ୍ଷରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)କୁ ଚିଠି ଲେଖାଯାଇଛି। ଭୁବନେଶ୍ଵରରୁ ଗୌହାଟୀକୁ ପ୍ରତିଦିନ ଅତିକମରେ ଗୋଟିଏ ବିମାନ ଚଳାଚଳ କରିବାକୁ ୟୁସିସିଆଇଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି।

“ଓଡ଼ିଶାରେ ଏବେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ୁଛି। ଏହାଛଡ଼ା ଓଡ଼ିଶା ଶିଳ୍ପ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଭଳି ଅନେକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ଏବେ ଆସାମ ଓ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟମାନଙ୍କ ସହ ଓଡ଼ିଶାର ଭଲ ଯୋଗାଯୋଗ ସ୍ଥାପନ ପାଇଁ ଭୁବନେଶ୍ଵରରୁ ଗୌହାଟୀକୁ ବିମାନ ସେବାର ଆବଶ୍ୟକତା ରହୁଛି। ଏହାଦ୍ଵାରା ଦୁଇ ରାଜ୍ୟରେ ଥିବା ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ହୋଇପାରିବ”, କହିଛନ୍ତି ୟୁସିସିଆଇଏଲର ସଭାପତି ଡକ୍ଟର ବ୍ରହ୍ମା ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “ଭାରତ ସରକାର ନିଜର ‘ଆକ୍ଟ ଇଷ୍ଟ ପଲିସି’ ଦ୍ୱାରା ବାଂଲାଦେଶ, ମିଆଁମାର, ଭିଏତନାମ ଓ କମ୍ବୋଡିଆ ଭଳି ପଡୋଶୀ ଦେଶଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରୁଛନ୍ତି। ଓଡ଼ିଶାରୁ ଆସାମକୁ ବିମାନସେବା ଆରମ୍ଭ ହେଲେ ଏହି ଦେଶଗୁଡ଼ିକ ସହ ମଧ୍ୟ ଆମ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବଢ଼ିପାରିବ। ପର୍ଯ୍ୟଟନ କ୍ଷେତ୍ର ଛଡ଼ା ଆଇଟି ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶାରେ ନିବେଶ ସମ୍ଭାବନା ବୃଦ୍ଧି ପାଇବ।”

ଭୁବନେଶ୍ଵରରୁ ଗୌହାଟୀକୁ ବିମାନସେବା ଆରମ୍ଭ ହେଲେ ଓଡ଼ିଶା ଓ ଆସାମ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଦୁଇ ରାଜ୍ୟ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ଆହୁରି ବଢ଼ିବ ଏବଂ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରର ଅଧିକ ବିକାଶ ହୋଇପାରିବ ବୋଲି ୟୁସିସିଆଇଏଲ୍ ଆଶାବାଦୀ ଅଛି।
ପୂର୍ବେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଗୌହାଟୀକୁ ପ୍ରତିଦିନ ବିମାନ ଚଳାଚଳ କରୁଥିଲା। ଇଣ୍ଡିଗୋ ଏୟାରଲାଇନ୍ସ ଏହି ବିମାନ ସେବା ଯୋଗାଉଥିଲା। ୨୦୨୦ ମସିହା କୋଭିଡ୍-୧୯ ଲକଡାଉନ ସମୟରେ ଏହି ବିମାନ ଚଳାଚଳକୁ ବନ୍ଦ ହୋଇଯାଇଥିଲା। ଏହାପରେ ଦୁଇ ସହର ମଧ୍ୟରେ ବିମାନ ସେବାକୁ ଆଉ ଆରମ୍ଭ କରାଯାଇ ନାହିଁ।

Tags: #DailyFlightService #Bhubaneswar #Guwahati #AAI #UCCIL

LEAVE A REPLY

Please enter your comment!
Please enter your name here