ଓଡ଼ିଶାଲାଇଭ୍ ବ୍ୟୁରୋ

“ଆଜି ଗଙ୍ଗା ନଦୀରେ ପ୍ରବାହିତ କରିଦେବୁ ସବୁ ମେଡାଲ” ମଙ୍ଗଳବାର ଦିନ ଏମିତି କିଛି କହିଛନ୍ତି ନିରାଶ ହୋଇପଡ଼ିଥିବା କୁସ୍ତି ଯୋଦ୍ଧା।

କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତି ଯୋଦ୍ଧା ଏବଂ କୁସ୍ତି ଖେଳାଳିଙ୍କ ଅସନ୍ତୋଷ ବଢ଼ିବାକୁ ଲାଗିଛି। ନ୍ୟାୟ ନମିଳିବାରୁ ନିରାଶ ହୋଇ କଷ୍ଟ କରି ଦେଶ ପାଇଁ ଆଣିଥିବା ମେଡାଲ ସବୁକୁ ଗଙ୍ଗା ନଦୀରେ ପ୍ରବାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି କୁସ୍ତି ଯୋଦ୍ଧା।

କୁସ୍ତି ଯୋଦ୍ଧାମାନେ ଅଭିଯୋଗ କରିଛନ୍ତି ଗତ ମେ’ ୨୮ ତାରିଖ ଦିନ ଯେଉଁଭଳି ଭାବେ ସେମାନଙ୍କୁ ଦୁର୍ବ୍ୟବହାର କରାଗଲା ତାହା ଦେଶବାସୀ ଦେଖିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବାବେଳେ ପୋଲିସ ଅମାନୁସିକ ଭାବେ ଗିରଫ କରିବା ସହ କୁସ୍ତି ଯୋଦ୍ଧାଙ୍କ ବିରୋଧରେ ଓଲଟା ମାମଲା ରୁଜୁ କରାଯାଇଥିବା କୁସ୍ତି ଯୋଦ୍ଧାମାନେ ଅଭିଯୋଗ କରିଛନ୍ତି।

ଇଣ୍ଡିଆ ଗେଟ ସମ୍ମୁଖରେ ଆମରଣ ଅନଶନ କରିବେ କୁସ୍ତି ଯୋଦ୍ଧା

“ଆମ ମେଡଲା ଆମ ପାଇଁ ଜୀବନଠାରୁ ବି ମୂଲ୍ୟବାନ। ଏ ସବୁକୁ ଗଙ୍ଗା ନଦୀରେ ବିସର୍ଜନ କରିବା ପରେ ଆମ ଜୀବନର ମୂଲ୍ୟ କିଛି ରହିବ ନାହିଁ। ବୀର ସହିଦଙ୍କ ସ୍ଥାନ ଇଣ୍ଡିଆ ଗେଟ ସମ୍ମୁଖରେ ଆମରଣ ଅନଶନରେ ବସିବୁ”, କହିଛନ୍ତି କୁସ୍ତି ଯୋଦ୍ଧା।

ଏପ୍ରିଲ ୨୩ରୁ ଜାରି ରହିଛି ଧାରଣା

କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଗତ ଏପ୍ରିଲି ୨୩ ତାରିଖରୁ ଭିନେଶ ଫୋଗଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଁଙ୍କ ସମେତ ଅନେକ କୁସ୍ତି ଯୋଦ୍ଧା ଏବଂ ଖେଳାଳି ଦିଲ୍ଲୀସ୍ଥିତ ଯନ୍ତରମନ୍ତରଠାରେ ଧାରଣା ଦେଇଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ।

ମେ’ ୨୮ରେ କୁସ୍ତି ଯୋଦ୍ଧା-ପୋଲିସ ମୁହାଁମୁହିଁ

ରବିବାର ଦିନ ଜନ୍ତରମନ୍ତରଠାରୁ ନୂଆ ସଂସଦ ଭବନ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିବାକୁ କୁସ୍ତି ଯୋଦ୍ଧାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। କୁସ୍ତି ଯୋଦ୍ଧାମାନେ ଜନ୍ତରମନ୍ତରଠାରୁ ବିକ୍ଷୋଭ ପ୍ରଦର୍ଶନ କରି ନୂତନ ସଂସଦ ଭବନ ଅଭିମୁଖେ ଗସ୍ତ କରିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। କିନ୍ତୁ ବ୍ୟାରିକେଡ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ କୁସ୍ତି ଯୋଦ୍ଧା। ଏହା ପରେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା ଘଟଣାସ୍ଥଳ।

କୁସ୍ତି ଯୋଦ୍ଧାଙ୍କ ବିରୋଧରେ ମାମଲା

ରବିବାର ଦିନ କୁସ୍ତି ଯୋଦ୍ଧା ଏବଂ ପୋଲିସ ମଧ୍ୟରେ ହୋଇଥିବା ମୁହାଁମୁହିଁ ପରିସ୍ଥିତି ପରେ ଯନ୍ତରମନ୍ତରଠାରୁ କୁସ୍ତି ଯୋଦ୍ଧାଙ୍କୁ ହଟାଇ ଦିଆଯାଇଥିଲା। ଯନ୍ତରମନ୍ତରକୁ ପୁନର୍ବାର କୁସ୍ତି ଯୋଦ୍ଧାଙ୍କୁ ପଶିବାକୁ ଦିଆଯିବ ନାହିଁ ବୋଲି କହିଛି ପୋଲିସ। ଘଟଣା ଦିନ ୭୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିଲା। ସନ୍ଧ୍ୟାରେ ଭନେଶ ଫୋଗଟ, ସାକ୍ଷୀ ମଲିକଙ୍କ ସମେତ ଗିରଫ ଆନ୍ଦୋଳନକାରୀଙ୍କୁ ଛାଡ଼ି ଦେଇଥିଲା ପୋଲିସ। କିନ୍ତୁ ବିନେଶ, ସାକ୍ଷୀ ଏବଂ ବଜରଙ୍ଗ ପୁନିଆଁଙ୍କ ସମେତ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ।

ଯନ୍ତରମନ୍ତରରେ ପଶିବାକୁ ଦିଆଯାଉନଥିବାରୁ ଇଣ୍ଡିଆ ଗେଟ ସମ୍ମୁଖରେ ଆମରଣ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କୁସ୍ତି ଯୋଦ୍ଧା।

Tags: #SexualHarassment#Wrestler #WFI #SupremeCourt#BrijBhushanSharanSingh #DelhiPolice

Comment