ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ। ଶୁକ୍ରବାର ଦିନ ୧୧ଟାରେ ଓଜେଇଇ କାର୍ଯ୍ୟାଳୟରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ବିଭଗୀୟ ସଚିବ ଉଷା ପାଢ଼ୀ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତବର୍ଷ ମୋଟ ୪୮ ହାଜର ୮୧୫ ଜଣ ପରୀକ୍ଷାର୍ଥୀ ଓଜେଇଇ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୮ ହାଜର ୭୮୩ ଜଣ ରାଙ୍କ ପାଇଛନ୍ତି।

ଏହି ଅବସରରେ ଓଜେଇଇର ୨୩ଟି ବିଭାଗରେ ଟପ୍ପର ହୋଇଥିବା ପରୀକ୍ଷାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ରାଙ୍କ ପାଇଥିବା ପରୀକ୍ଷାର୍ଥୀମାନେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

୨୦୨୩ ଓଜେଇଇ ପରୀକ୍ଷାରେ ବି-ଫାର୍ମାରେ ସୌରଭ କୁମାର ପତି ଓ ଏମ ଫାର୍ମାରେ ରଶ୍ମୀରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ସତ୍ୟଜିତ ସାହୁ ଓ ଏମସିଏରେ ଅପୂର୍ବ ନାୟକ ଟପ୍ପର ହୋଇଛନ୍ତି।

ଏମ ଟେକ୍ ପଠ୍ୟକ୍ରମ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ସିଭିଲ ଇଞ୍ଜିନିୟରିଂରେ ସୁବାସ ପୃଷ୍ଟି, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ ମହାନ୍ତି ଓ ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ବ୍ୟୋମକେଶ କାମିଲା ଟପ୍ପର ହୋଇଛନ୍ତି। ସେହିପରି ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡ଼ା, ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଙ୍କିତ ସାମଲ ଓ କେମିକାଲ ଇଂଜିନିୟରିଂରେ ସଂଗ୍ରାମ ପାତ୍ର ଟପ୍ପର ହୋଇଥିବା ସୂଚନା ମିଳିଛି।

ଓଜେଇଇରେ ଯେଉଁ ପରୀକ୍ଷାର୍ଥୀମାନେ ଉପଯୁକ୍ତ ରାଙ୍କ ପାଇନଥିବେ, ସେମାନେ ଚାହିଁଲେ ସ୍ପେଶାଲ୍ ଓଜେଇଇରେ ପୁଣି ଆବେଦନ କରିପାରିବେ। ଜୁନ୍ ୨୬ ତାରିଖରୁ ୩୦ ତାରିଖ ଯାଏଁ ଅନୁଷ୍ଠିତ ହେବ ସ୍ପେଶାଲ ଓଜେଇଇ ପରୀକ୍ଷା। ଏଥିପାଇଁ ଗୁରୁବାରଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। ଜୁନ୍ ୮ ତାରିଖ ଯାଏଁ ଏହି ପଞ୍ଜିକରଣ ଚାଲିବ।

ଅନ୍ୟପଟେ ଓଜେଇଇରେ ରାଙ୍କ ପାଇଥିବା ଅନ୍ୟ ପରୀକ୍ଷାର୍ଥୀଙ୍କ ନାମଲେଖା ଲାଗି କାଉନସେଲିଂ ଆରମ୍ଭ ହେବ। ଏନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବୋର୍ଡ ପକ୍ଷରୁ ଆଗକୁ ସୂଚନା ଦିଆଯିବ।

ଚଳିତବର୍ଷ ମେ’ ମାସ ୮ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଓଜେଇଇ ପରୀକ୍ଷା ଦେବାପାଇଁ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀନାମ‌ ପଞ୍ଜୀକରଣ କରିଥିଲେ। ଏଥିପାଇଁ ଓଡ଼ିଶାର ୩୩ଟି ସହରରେ ମୋଟ ୪୭ ପରୀକ୍ଷା କେନ୍ଦ୍ର କରଯାଇଥିଲା। ପ୍ରଥମଥର ପାଇଁ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରଯାଇଥିଲା।

Tags: #OJEEResults #EntranceExam #TechnicalEducation #Students #SDTEOdisha

Comment