ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ବଜାର ଷ୍ଟେସନ୍‌ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଭୁବନେଶ୍ୱରକୁ ୧୬୧ଟି ମୃତ ଶରୀରକୁ ଅଣାଯାଇଛି। ଏହି ଶବଗୁଡ଼ିକୁ ଭୁବନେଶ୍ୱର ବିଭିନ୍ନ ହସ୍ପିଟାଲରେ ରଖାଯାଇଛି। ତା’ସହିତ ମୃତକଙ୍କ ପରିବାର କିଭଳି ସେମାନଙ୍କୁ ଚିହ୍ନଟ କରି ନେଇଯାଇପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିଏମସି ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

ଟ୍ରେନ୍‌ ଟ୍ରାଜେଡିରେ ପ୍ରାଣ ହରାଇଥିବା ଅନେକ ବ୍ୟକ୍ତିଙ୍କ ମରଶରୀରକୁ ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ରଖାଯାଇଛିା ଫଳରେ ମୃତ ଦେହକୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି। ସମ୍ପର୍କୀୟମାନେ ତାଙ୍କ ଲୋକଙ୍କୁ ଖୋଜି ପାଉନାହାନ୍ତି। ଯାହାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଟୋଲ୍‌ ଫ୍ରି ନମ୍ବର ୧୯୨୯ ଏବଂ ୧୮୦୦୩୪୫୦୦୬୧ରେ  କଲ୍‌ କରି ସମ୍ପର୍କୀୟମାନେ ଶବକୁ ଚିହ୍ନି ପାରିବେ।

ଭୁବନେଶ୍ୱର କେଉଁ ହସ୍ପିଟାଲରେ ରହିଛି କେତୋଟି ମୃତଦେହ?

  • ଏମ୍ସ ହସ୍ପିଟାଲ – ୧୦୦
  • କିମ୍ସ ହସ୍ପିଟାଲ – ୧୫
  • ହାଇଟେକ୍‌ ହସ୍ପିଟାଲ– ୫
  • କ୍ୟାପିଟାଲ୍‌ ହସ୍ପିଟାଲ – ୧୪
  • ସମ୍‌ ହସ୍ପିଟାଲ – ୨୦
  • ଆମ୍ରି ହସ୍ପିଟାଲ – ୫
  • ଆପୋଲୋ ହସ୍ପିଟାଲ – ୨

ୱେବସାଇଟ୍‌ରେ ମୃତକଙ୍କ ଫଟୋ ଓ ସିରିଏଲ୍‌ ନମ୍ବର ଜାରି

ମୃତକଙ୍କ ସମ୍ପର୍କରେ ଅଧିକ ସୂଚନା ପାଇଁ ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲାଯାଇଛି। ଏହାଛଡ଼ା ବିଏମସି ୱେବସାଇଟ www.bmc.gov.in ରେ ମୃତକଙ୍କ ଫଟୋ ସହିତ ସିରିଏଲ ନମ୍ବର ରଖାଯାଇଛିା ଏହିସହିତ ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଚିହ୍ନଟ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଦୁଇଟି ଓ୍ଵେବସାଟ ଜାରି କରାଯାଇଛି। ଏଗୁଡ଼ିକ ହେଲା www.osdma.org  ଓ  www.srcodisha.nic.in । ଏ ନେଇ ରବିବାର ଦିନ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଏହାସହ ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱରଠାରେ ଅନ୍ତିମ ସଂସ୍କାର କରିବା ବ୍ୟବସ୍ଥା କରାଯିବ। ଏନେଇ ବିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ।

ଶୁକ୍ରବାର ସନ୍ଧ୍ୟାରେ ବାହାନଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ।

Comment