ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ରେଳ ଦୁର୍ଘଟଣା ଉଜାଡ଼ି ଦେଲା କେତେ ହସଖୁସିର ସଂସାର। ଏହି ଦୁର୍ଘଟଣା କାହା ମଥାରୁ ସିନ୍ଦୁର ପୋଛି ଦେଲା ତ ଆଉ କାହାକୁ ଅନାଥ କରିଦେଲା।

ଜୁନ ୨ ତାରିଖ, ଶୁକ୍ରବାର ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଏହି ଦୁର୍ଘଟଣାରେ ଚାଲିଗଲା ୨୮୮ ଜଣଙ୍କର ଜୀବନ। ହଜାରେରୁ ଅଧିକ ଆହତ ହେଲେ।

ମୃତକଙ୍କ ମଧ୍ୟରେ ଥିଲେ ବାଲେଶ୍ଵର ଜିଲ୍ଲାର ବିନୋଦ ଦାସଙ୍କ ପରିବାର। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଲେ ବିନୋଦଙ୍କ ପତ୍ନୀ ଝରଣା ଦାସ, ଝିଅ ଏବଂ ପୁତୁରା। ଉଜୁଡ଼ିଗଲା ବିନୋଦଙ୍କ ପୂରା ପରିବାର। ମେଡିକାଲ ଯିବା ପୂର୍ବରୁ ଚାଲିଯାଇଥିଲା ଗୋଟିଏ ପରିବାରର ତିନି ତିନି ଜଣଙ୍କର ଜୀବନ।

କଟକ ଏସିବି ମେଡିକାଲରେ ୬ ମାସ ତଳେ ବିନୋଦଙ୍କ ଝିଅର ଟ୍ୟୁମର ଅପରେସନ ହୋଇଥିଲା। ଶୁକ୍ରବାର ଦିନ ଚେକଅପ୍ ପାଇଁ କଟକ ବାହାରିଥିଲେ ପତ୍ନୀ, ଝିଅ, ଜ୍ଵାଇଁ ଏବଂ ପୁତୁରା।

“ଟିକେଟ୍ କରି ସମସ୍ତେ କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ। କିନ୍ତୁ ଟ୍ରେନରେ ଜ୍ଵାଇଁ ଚଢ଼ି ପାରିନଥିଲେ। ପରବର୍ତ୍ତୀ ଟ୍ରେନରେ କଟକ ଯିବା ପାଇଁ ଜ୍ଵାଇଁ ଟିକେଟ କାଟି ଅପେକ୍ଷା କରିଥିଲେ। ହେଲେ କରମଣ୍ଡଳ ଏକ୍ସପ୍ରେସ ଛାଡ଼ିବାର ମାତ୍ର ଅଧେଘଣ୍ଟା ପରେ ଅସିଥିଲା ଦୁର୍ଘଟଣା ଖବର”, କହିଛନ୍ତି ବିନୋଦ ଦାସ।

ଦୁର୍ଘଟଣା ଖବର ପାଇ ହତବାକ୍ ହୋଇଯାଇଥିଲେ ବିନୋଦ। ଜ୍ଵାଇଁଙ୍କୁ ସାଙ୍ଗରେ ଧରି ଦୌଡ଼ି ଯାଇଥିଲେ ଘଟଣାସ୍ଥଳକୁ। ରାତିର ଅନ୍ଧାରରେ ପତ୍ନୀ, ଝିଅ ଏବଂ ପୁତୁରାକୁ ଖୋଜିବାକୁ ପ୍ରୟାସ କରିଥିଲେ, ହେଲେ ପାଇନଥିଲେ। ନିଜ ପରିବାରକୁ ଖୋଜୁ ଖୋଜୁ ସକାଳ ହେଇଗଲା ତଥାପି କାହାର ସନ୍ଧାନ ମିଳିନଥିଲା। ମନରେ ଦମ୍ଭ ଜୁଟେଇ ନିଜର ଲୋକଙ୍କୁ ଖୋଜି ଚାଲିଥିଲେ ବିନୋଦ ଦାସ।

“ଦିନ ପ୍ରାୟ ୧୨ଟା ୩୦ ହେବ, ଝରଣା ଦାସ ବାହାନଗା ସ୍କୁଲ ଘରେ ଅଛନ୍ତି ବୋଲି ଶୁଣିବାକୁ ପାଇଲି। ସ୍କୁଲ ଘରକୁ ଦୌଡ଼ି ଯାଇ ଦେଖିଲା ବେଳକୁ ମୋ ସ୍ତ୍ରୀର ଶବ ପଡ଼ିଥିଲା”, ଲୁହ ଭିଜା ଆଖି, କୋହ ଭରା କଣ୍ଠରେ କହିଥିଲେ ବିନୋଦ ଦାସ।

ସ୍ତ୍ରୀକୁ ତ ପାଇଲେ ହେଲେ ଝିଅ ଏବଂ ପୁତୁରାଙ୍କର କୌଣସି ସନ୍ଧାନ ମିଳିନଥିଲା। ଶେଷରେ ଖବର ଆସିଲା ଝିଅ ଏବଂ ପୁତୁରା ଆଉ ନାହାନ୍ତି। ଏ ଦୁଇଜଣ ବି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି।

ସ୍ତ୍ରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ବିନୋଦଙ୍କୁ ମିଳିଛି ୧୦ ଲକ୍ଷ ଟଙ୍କାର ସହାୟତା ରାଶି। ହାତରେ ଟଙ୍କା ଏବଂ ଚେକ୍ ଧରି କାନ୍ଦି କାନ୍ଦି ବିନୋଦ କହିଥିଲେ, “ମୋ ସ୍ତ୍ରୀ ଆଉ ଝିଅ ତ ଗଲେ, ଏ ଟଙ୍କା ନେଇ କ’ଣ କରିବି?”

Tags: #BahanagaTrainTragedy #LostFamily #BinodDas #Balasore #OdishaTrainAccident

Comment