ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ ଇଣ୍ଡଷ୍ଟ୍ରିଜରେ କାଷ୍ଟିଂକାଉଚକୁ ନେଇ ପୁଣି ଝଡ଼ ଉଠିଛି। କାଷ୍ଟିଂକାଉଚକୁ ନେଇ ତିନି ଜଣ ଓଡ଼ିଆ ଅଭିନେତ୍ରୀଙ୍କ ହ୍ଵାଟଆପ୍ ଚାଟ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଓଡ଼ିଆ ଟିଭି ଅଭିନେତ୍ରୀ ଜାସ୍ମିନ ରଥ ଓଡ଼ିଆ ସିନେ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂକାଉଚକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ପରେ ସଞ୍ଜୟ ନାୟକ କାଷ୍ଟିଂକାଉଚରେ ସମ୍ପୃକ୍ତ ଥିବା ଖୋଲାଖୋଲି ଅଭିଯୋଗ କରିଛନ୍ତି ପ୍ରକୃତି ମିଶ୍ର। ସଞ୍ଜୟ ନାୟକ ଓଲିଉଡ ଇଣ୍ଡଷ୍ଟ୍ରିଜକୁ ଆସୁଥିବା ନୂଆ ନୂଆ ଝିଅମାନଙ୍କୁ କମ୍ପ୍ରମାଇଜ କରିବାକୁ କହୁଛନ୍ତି, ଯାହା ତାଙ୍କୁ ହ୍ଵାଟସଆପରେ ମେସେଜ କରି କିଛି ଅଭିନେତ୍ରୀ କହିଥିବା ସେ ଗଣମାଧ୍ୟମ ଆଗରେ କହିଛନ୍ତି।

କାଷ୍ଟିଂକାଉଚକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଯୋଜକ ସଞ୍ଜୟ ନାୟକ। ସେ କହିଛନ୍ତି, ବିନା ପ୍ରମାଣରେ ଯେଉଁମାନେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଏବଂ ଯେଉଁମାନେ ଏହାକୁ ପ୍ରସାରଣ କରିଛନ୍ତି, ସେମାନଙ୍କ ବିରୋଧରେ ସେ ଆଇନର ଆଶ୍ରୟ ନେବେ।

“ଓଲିଉଡ ଇଣ୍ଡଷ୍ଟ୍ରିଜରେ ଯେଉଁମାନଙ୍କର କୌଣସି ସ୍ଥିତି କି ଅସ୍ତିତ୍ଵ ନାହିଁ ସେମାନେ ଏଭଳି ଅଭିଯୋଗ ଆଣିଛନ୍ତି। କିଛି ପ୍ରଯୋଜକ ସେମାନଙ୍କୁ ମୋହରା ସଜେଇ ମୋତେ ଇଣ୍ଡଷ୍ଟ୍ରିଜରେ ବଦନାମ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି”, କହିଛନ୍ତି ସଞ୍ଜୟ ନାୟକ।

ପ୍ରକୃତି ମିଛ କହୁଛନ୍ତି, ପୂର୍ବ ରାଗ ରଖି ସେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ଖୁବ୍ ଶୀଘ୍ର ସେ ଏଭଳି ଏକ ତଥ୍ୟ ଆଣିବାକୁ ଯାଉଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେବ ବୋଲି ସଞ୍ଜୟ ନାୟକ କହିଛନ୍ତି।

ଏହା ପୂର୍ବରୁ ପ୍ରକୃତି ମିଶ୍ର ଗଣମାଧ୍ୟମକୁ କହିଥିଲେ, “ସଞ୍ଜୟ ନାୟକ କାଷ୍ଟିଂ କାଉଚରେ ସମ୍ପୃକ୍ତ। ଓଲିଉଡ ସିନେମା ଜଗତକୁ ଅଭିନୟ ଆଶା ନେଇ ଆସୁଥିବା ଅନେକ ଝିଅଙ୍କୁ ସେ କମ୍ପ୍ରମାଇଜ କରିବାକୁ କୁହନ୍ତି। ଏନେଇ କିଛି ଝିଅ ମୋତେ ହ୍ୱାଟ୍ସଆପ୍‌ ଚାଟ୍‌ରେ କହିଛନ୍ତି।”

ଇଣ୍ଡଷ୍ଟ୍ରିଜରେ ମୋ ଫ୍ୟାମିଲିର ରେପୁଟେସନ ପାଇଁ ମୋ ସହ ସେମିତି କିଛି ହୋଇ ନାହିଁ ବୋଲି ପ୍ରକୃତି କହିଛନ୍ତି।

ଏପଟେ ସଞ୍ଜୟ ନାୟକ କହିଛନ୍ତି, ଯେଉଁମାନେ ତାଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି, ସେମାନେ ପ୍ରମାଣ ଦେଖାନ୍ତୁ ବୋଲି ସଞ୍ଜୟ କହିଛନ୍ତି।

ଓଲିଉଡରେ ନୂଆ ନୁହେଁ କାଷ୍ଟିଂକାଉଚ ଅଭିଯୋଗ

ସିନେମା ଜଗତରେ କାଷ୍ଟିଂକାଉଚ ଅଭିଯୋଗ ନୂଆ ନୁହେଁ। ବଲିଉଡ ହେଉ କି ଓଲିଉଡ, ବିଭିନ୍ନ ସମୟରେ ଏହିଭଳି ଅଭିଯୋଗ ଶୁଣିବାକୁ ମିଳେ।

ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କ ବିରୋଧରେ ଅଭିଯୋଗ

ସଞ୍ଜୟ ନାୟକଙ୍କ ପୂର୍ବରୁ ୨୦୨୨ ମସିହାରେ ଓଲିଉଡ ଜଗତର ଜଣାଶୁଣା ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କ ବିରୋଧରେ ମଧ୍ୟ କାଷ୍ଟିଂ କାଉଚ ଅଭିଯୋଗ ଆସିଥିଲା। ସିନେମାରେ ଅଭିନୟ ସୁଯୋଗ ଦେବାକୁ କହି ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା।

ଏହା ପରେ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ ଅକ୍ଷୟ ପରିଜା।

ଗିରଫ ହୋଇଥିଲେ ପୁପୁ ପମ୍‌ପମ୍‌

ସିନେ ଅଭିନେତା ପୁପୁ ପମ୍‌ପମ୍‌ଙ୍କ ବିରୋଧରେ ମଧ୍ୟ କାଷ୍ଟିଂ କାଉଚ ଅଭିଯୋଗ ହୋଇଥିଲା। ୨୦୧୬ ମସିହାରେ  କାଷ୍ଟିଂକାଉଚ ମାମଲାରେ ଛନ୍ଦି ହୋଇଥିଲେ ପପୁ। ସିନେମାରେ ଅଭିନୟ କରିବାକୁ ସୁଯୋଗ ଦେବା ପାଇଁ କହି ଅସଦାଚରଣ କରାଯାଇଥିବା ଜଣେ ନାବାଳିକା ପପୁଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ପପୁଙ୍କୁ ଗିରଫ ମଧ୍ୟ କରିଥିଲା। କିନ୍ତୁ ପରେ ୨୦୨୨ ଅଗଷ୍ଟ ମାସରେ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ପପୁ।

ସ୍ଵର୍ଗତ ପିଣ୍ଟୁ ନନ୍ଦଙ୍କ ବିରୋଧରେ ବି ଥିଲା ଅଭିଯୋଗ

ସିରିଏଲରେ ଅଭିନୟ କରିବାକୁ କହି ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ପିଣ୍ଟୁ ନନ୍ଦଙ୍କୁ ଥାନାକୁ ଡାକି ପଚରାଉଚରା କଲା ବେଳେ ସେ ଏହାକୁ ଖଣ୍ଡନ କରିଥିଲେ।

କାଷ୍ଟିଂକାଉଚକୁ ନେଇ ଏହିଭଳି ଅନେକ ଅଭିଯୋଗ ବାରମ୍ବାର ସାମ୍ନାକୁ ଆସେ। କିଏ ସତରେ କାଷ୍ଟିଂକାଉଚର ଶିକାର ହେଉଥିବାବେଳେ ଆଉ କିଛି ବ୍ୟକ୍ତିଗତ ଆକ୍ରୋଶରୁ କାଷ୍ଟିଂକାଉଚ ଭଳି ସଙ୍ଗୀନ ଅଭିଯୋଗ ଆଣୁଥିବା ସିନେପ୍ରେମୀଙ୍କ ମହଲରେ ଚର୍ଚ୍ଚା ହେଉଛି। ଏହି ଅଭିଯୋଗର ସଠିକ୍ ଭାବେ ଯଦି ତଦନ୍ତ ହୁଏ ତେବେ କାଷ୍ଟିଂକାଉଚର ଅସଲ କଥା ଲୋକଲୋଚନକୁ ଆସିପାରନ୍ତା ବୋଲି କୁହାଯାଉଛି।

Tags: #Entertainment #CastingCouch #SanjayNayak #Ollywood

Comment