ଓଡ଼ିଶାଲାଇଭ୍ ବ୍ୟୁରୋ

 

 

ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ଣରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସର ଷ୍ଟିମ୍ ପାଇପରେ ବିସ୍ଫୋରଣ ଘଟି ୧୮ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ଆହତ ଶ୍ରମିକଙ୍କ ମଧ୍ୟରୁ ୧୧ ଜଣଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଟାଟା ଷ୍ଟିଲ ପ୍ଳାଣ୍ଟରେ ମଙ୍ଗଳବାର ଦିନ ବିଏଫ୍‌ ପାୱାର ପ୍ଲାଣ୍ଟ ନିକଟରେ ଥିବା ଷ୍ଟିମ ଲାଇନ ପାଖରେ ଶ୍ରମିକମାନେ କାମ କରୁଥିବାବେଳେ ହଠାତ ଏଥିରେ ବିସ୍ପୋରଣ ଘଟିଥିଲା। ଏହାଫଳରେ ଶ୍ରମିକମାନେ ସିଧାସଳଖ ଗରମ ବାଷ୍ପ ସମ୍ମୁଖରେ ଆସି ଆହତ ହୋଇଥିଲେ।

ଆହତ ଶ୍ରମିକଙ୍କୁ ପ୍ରଥମେ ଷ୍ଟିଲ ପ୍ଳାଣ୍ଟରେ ଫାଷ୍ଟ ଏଡ଼ ଦିଆଯାଇ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।ଏହାପରେ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ଏବେ ଟାଟା କମ୍ପାନି ପକ୍ଷରୁ ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକଙ୍କ ପରିବାର ଲୋକଙ୍କ ସହିତ କମ୍ପାନି ପକ୍ଷରୁ ଯୋଗାଯୋଗ କରାଯାଇଛି।

ଏହି ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି। ଢେଙ୍କାନାଳ ଜିଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ଜଣେ ଶ୍ରମିକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାବେଳେ ଅନ୍ୟମାନଙ୍କ ସ୍ଵାସ୍ଥ୍ୟ ସ୍ଥିର ରହିଛି।

Tags: #TataSteelPlant #Dhenkanal #Accident #Workers

 

Comment