ଓଡ଼ିଶାଲାଇଭ୍ ବ୍ୟୁରୋ

ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ରଥଯାତ୍ରାର ଆୟୋଜନ କରିବା ଲାଗି ଶେଷ ସମନ୍ଵୟ କମିଟି ବୈଠକରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରାକୁ ନେଇ ଶେଷ ସମନ୍ଵୟ କମିଟି ବୈଠକ।

ଠିକ୍ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ସମାପନ କରିବା ସହ ରଥଯାତ୍ରାରେ ସାମିଲ ହେବାକୁ ପୁରୀକୁ ଆସିଥିବା ଭକ୍ତମାନଙ୍କ ସୁରକ୍ଷା ପ୍ରତି ସ୍ଵତନ୍ତ୍ର ଧ୍ୟାନଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ସହ ଦେଶ ବିଦେଶରୁ ଆସିଥିବା ଭକ୍ତମାନେ ଯେପରି ରଥଯାତ୍ରାର ସୁଖଦ ଅନୁଭୂତି ନେଇ ଫେରିବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ବର୍ତ୍ତମାନ ରାଜ୍ୟରେ ଅସହ୍ୟ ଖରା ସହ ଗୁଳୁଗୁଳି ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ସମୟରେ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଶେଷ ସମନ୍ଵୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନଶୃଙ୍ଖଳା ଏଡିଜିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #Puri #RathaYatra #SpecialReviewMeeting #CMOdisha #NaveenPatnaik

Comment