ଓଡ଼ିଶାଲାଇଭ୍ ବ୍ୟୁରୋ

ଥମୁନି ମଣିପୁର ହିଂସା। ଜାତିଆଣ ହିଂସା ଉଗ୍ର ରୂପ ଧାରଣ କରିଛି। ଅଶାନ୍ତ ମଣିପୁର ଶାନ୍ତ ହେବାର ନାଁ ନେଉନି।

ପ୍ରତିଦିନ ରାଜ୍ୟରେ ପୋଡ଼ାଜଳା ଏବଂ ଗୁଳିକାଣ୍ଡ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜୀବନଯାପନ। ଗୁରୁବାର ବିଳମ୍ବିତ ରାତ୍ରିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ବାସଭବନକୁ ଦଙ୍ଗାକାରୀମାନେ ଜାଳିଦେଇଥିବାବେଳେ ଶନିବାର ଦିନ ପୋଲିସ ଅସ୍ତ୍ରାଗାରରେ ନିଆଁ ଲଗାଇ ଦେଇଛନ୍ତି। କେବଳ ସେତିକି ନୁହେଁ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳିଚାଳନା ମଧ୍ୟ କରିଛନ୍ତି।

ମଣିପୁରର ବିଷ୍ଣୁପୁର ଜିଲ୍ଲାର ସ୍ଵକଟା ଏବଂ ଚୁରାଚାନ୍ଦପୁର ଜିଲ୍ଲର ଗାଙ୍ଗଭଇଠାରୁ ହାତ ତିଆରି ଅସ୍ତ୍ର ଦ୍ଵାରା ଆକ୍ରମଣ କରାଯାଇଥିଲା। ଶନିବାର ସକାଳ ପର୍ଯ୍ୟନ୍ତ ଗୁଳି ବର୍ଷା ଚାଲିଥିଲା। ଦଙ୍ଗାକାରୀ ପୋଲିସ ଅସ୍ତ୍ରାଗାରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ବିଧାୟକଙ୍କ ବାସଭବନରେ ଭଙ୍ଗାରୁଜା

ମଣିପୁରରେ ଜିତିଆଣ ହିଂସା କମିବା ବଦଳରେ ବଢ଼ିବାକୁ ଲାଗିଛି। ଏବେ ବି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ସହ ଜଳପଡ଼ା ଜାରି ରହିଛି। ଶୁକ୍ରବାର ସନ୍ଧ୍ୟାରେ ମଣିପୁର ବିଶ୍ଵବିଦ୍ୟାଳୟ ନିକଟରେ ୩୦୦ରୁ ଅଧିକ ଆନ୍ଦୋଳନକାରୀ ଏକାଠି ହେବା ସହ ସ୍ଥାନୀୟ ବିଧାୟକଙ୍କ ବାସଭବନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ।

ବିବାଦର କାରଣ ?

ମଣିପୁରରେ ମୁଖ୍ୟତଃ ୩ଟି ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ମୈତେଇ, ନାଗା ଏବଂ କୁକି। ଏମାନଙ୍କ ମଧ୍ୟରୁ ନାଗା ଏବଂ କୁକି ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ମୈତେଇ ହେଉଛି ଅଣଆଦିବାସୀ ସମ୍ପ୍ରଦାୟ। ବିଶେଷ କରି ମୈତେଇ ହିନ୍ଦୁ ଧର୍ମାବଲମ୍ବୀ। ନାଗା ଏବଂ କୁକି ରାଜ୍ୟରେ ଅନୁସୂଚିତ ଜାତିର ମାନ୍ୟତା ପାଇଛି।

ମଣିପୁରରେ ଏକ ଆଇନ ରହିଛି, ଯେଉଁଥିରେ ଆଦିବାସୀମାନଙ୍କ ପାଇଁ କିଛି ବିଶେଷ ନିୟମ ରହିଛି। ଏହି ନିୟମ ଅନୁସାରେ ଆଦିବାସୀମାନେ ହିଁ ପାହାଡ଼ି ଅଞ୍ଚଳରେ ବସତିସ୍ଥାପନ କରିପାରିବେ। ମୈତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନଥିବାରୁ ସେମାନେ ପାହାଡ଼ି ଅଞ୍ଚଳରେ ବସତିସ୍ଥାପନ କରିପାରିବେ ନାହିଁ।

ନାଗା ଏବଂ କୁକୁ ଭଳି ଆଦିବାସୀ ସମ୍ପ୍ରଦାୟର ଲୋକ ଚାହୁଁଛନ୍ତି ମୈତାଇ ଲୋକମାନେ ଘାଟି ଅଞ୍ଚଳରେ ରୁହନ୍ତୁ। ମୈତେଇ ଲୋକଙ୍କ ସହ ନାଗା ଏବଂ କୁକୁଙ୍କର ଏହାକୁ ନେଇ ମୂଳରୁ ହିଁ ବିବାଦ ରହିଛି। କିନ୍ତୁ ମୈତେଇ ସମ୍ପ୍ରଦାୟ ନିଜକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ ପାଇଁ ଦାବି କରିଆସୁଛନ୍ତି।

କେମିତି ଆରମ୍ଭ ହେଲା ବିବାଦ?

ନିକଟରେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରିବା ଦାବି ଉପରେ ବିଚାର କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଣିପୁର ହାଇକୋର୍ଟର ଆକ୍ଟିଙ୍ଗ ଚିଫ ଜଷ୍ଟିସ ଏମଭି ମୁରଲୀଧରନ।

ଏହା ବିରୋଧରେ ଗତ ମେ’ ୪ ତାରିଖରେ ଅଲ ଟ୍ରାଇବାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ ମଣିପୁର(ଏଟିଏସୟୁଏମ) ‘ଆଦିବାସୀ ଏକତା ଅଭିଯାନ’ ଆରମ୍ଭ କରିଥିଲା। ଏହି ଅଭିଯାନ ସମୟରେ ହିଁ ହିଂସାକାଣ୍ଡ ଆରମ୍ଭ ହୋଇଥିଲା।

ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ସାମିଲ କରିବା ଦାବି ତେଜିବାରେ ଲାଗିଛି। ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଏହି ଦାବି ଉପରେ ବିଚାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ମଣିପୁରର ଛାତ୍ର ସଂଗଠନ ଏହି ଦାବି ବିରୋଧରେ ମେ’ ୪ ତାରିଖ, ବୁଧବାର ଦିନ ଚୁରଚାନ୍ଦପୁର ଜିଲ୍ଲାର ତୋରବଙ୍ଗ ଅଞ୍ଚଳରୁ ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନରେ ସାମିଲ ହୋଇଥିଲେ ହଜାର ହଜାର ବିକ୍ଷୋଭକାରୀ।

ଏହି ସମୟରେ ଆଦିବାସୀ ଏବଂ ଅଣଆଦିବାସୀ ସମ୍ପ୍ରଦାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିବାଦ ଉଗ୍ରରୂପ ଧାରଣ କରି ହିଂସାରେ ପରିଣତ ହୋଇଥିଲା। ଚୁରାଚାନ୍ଦପୁରରେ ଅଧିକାଂଶ ଘର ଭଙ୍ଗାରୁଜୁ କରିବା ସହ ଘରଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ। ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସର ପ୍ରୟୋଗ କରାଯାଇଥିଲା। ପରିସ୍ଥିତି ଏତେ ବିଗିଡ଼ି ଗଲା ଯେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ସହାୟତା ଲୋଡ଼ିବାପୁ ପଡ଼ିଥିଲା।

Tags: #Violence #ViolenceforCaste #Manipur

Comment