ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ଦିନ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଯୋଗ ମାଧ୍ୟମରେ ଆନନ୍ଦର ଗନ୍ତାଘରକୁ ଖୋଜିବାକୁ ପରାମର୍ଶ ଦେଇଥିଲେ।

ଯୋଗ ମଣିଷକୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ବର୍ତ୍ତମାନ ଯୋଗର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କରେ ଅଧିକାଂଶ ଲୋକ ଅନୁଭବ କଲେଣି। ଯୋଗର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏକ ସୁସ୍ଥ, ସୁନ୍ଦର ଏବଂ ସମୃଦ୍ଧ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ବୋଲି କୁଳପତି କହିଥିଲେ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଉପଦେଷ୍ଟା ପ୍ରଫେସର ବିଭାସ ଚନ୍ଦ୍ର ଝା, ଏକାଡେମିକ ଉପଦେଷ୍ଟା ପ୍ରଫେସର ସୁଧେନ୍ଦୁ ମଣ୍ଡଳ, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପଳିତା,  ଭାଷାସମୂହ ବିଦ୍ୟାଳୟର ଡିନ ପ୍ରଫେସର ନୃସିଂହ ଚରଣ ପଣ୍ଡା ଓ ହିନ୍ଦୀ ବିଭାଗର ପ୍ରଫେସର ହେମରାଜ ମୀନା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗର ଉପକାରିତା ଏବଂ ଆବଶ୍ୟକତା ସମ୍ପର୍କରେ କହିଥିଲେ।

ଏହି ଅବସରରେ ଯୋଗ ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ପ୍ରତିଷ୍ଠିତ ଯୋଗ ଗୁରୁ ଜୟକୃଷ୍ଣ ଯୋଗର ବିଭିନ୍ନ ଆସନ ପ୍ରଦର୍ଶନ କରିଥିଲେ।

Tags: #InternationalYogaDay2023 #Yoga #YogaforVasudhaivaKutumbakam #Yogasan

Comment