ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଶେଷ ହେବା ପରେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥର ଚକ ଭାଙ୍ଗିବେ ମା’ ଲକ୍ଷ୍ମୀ।

ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି। ଏଥିରେ କ୍ରୋଧିତ ହୋଇଯାଇଛନ୍ତି ମହାଲକ୍ଷ୍ମୀ। ତେଣୁ ହେରାପଞ୍ଚମୀ ନୀତି ଅନୁସାରେ ଆଜି ଶ୍ରୀମନ୍ଦିରରୁ ବାହାରି ନନ୍ଦିଘୋଷ ରଥ ପାଖକୁ ମହାଲକ୍ଷ୍ମୀ ଆସିବେ।ମହାଲକ୍ଷ୍ମୀ ଆସିବା ପରେ ତାଙ୍କୁ ପ୍ରସାଦଲାଗି କରାଯିବ। କର୍ପୂର ଆଳତୀ ସହ ବନ୍ଦାପନା କରାଯିବ। ଏହାପରେ ମହାଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟକୁ ଯିବେ। ସେଠାରେ ପହଞ୍ଚିବା ବେଳେ ମହାପ୍ରଭୁଙ୍କ ଆଳତୀ ଚାଲିଥିବ। ଆଳତୀ ଶେଷ ହେଉଥିବା ବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବ। ଏହି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ଦିଆଯିବ। ଏହାପରେ ଦ୍ୱାର ବନ୍ଦ କରାଯିବ। ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ ରଥକୁ ଭାଙ୍ଗିଦେଇ ଆନନ୍ଦବଜାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ।ମହାପ୍ରଭୁ ଏହି ଖବର ପାଇବା ପରେ ବାହୁଡ଼ାଯାତ୍ରା ପାଇଁ ଆଦେଶ ଦେବେ। ସେବାୟତମାନେ ଆଜିଠୁ ବାହୁଡ଼ା ଯାତ୍ରା ପ୍ରସ୍ତୁତିରେ ଲାଗିପଡ଼ିବେ। ମହାପ୍ରଭୁ ବାହୁଡ଼ା ଯାତ୍ରାରେ ଫେରିବା ବେଳେ ମାଉସୀ ମା’ ମନ୍ଦିର ପାଖରେ ଅଟକିବେ। ପୋଡ଼ପିଠା ଭୋଗ ଲାଗି ହେବ। ଏହାପରେ ସିଂହଦ୍ୱାର ନିକଟରେ ରଥ ଲାଗିବ। ସୁନାବେଶ, ଅଧରାପଣା ଶେଷ ହେବା ପରେ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ନିଦର୍ଶନ ଅଟେ।

Tags: #Herapanchami #RathYatra #Nandighosha #ମହାଲକ୍ଷ୍ମୀ #RathYatra2023 #ନନ୍ଦିଘୋଷରଥ

LEAVE A REPLY

Please enter your comment!
Please enter your name here