ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ମଧ୍ୟରାତ୍ରିରେ ଘଟିଛି ମର୍ମନ୍ତୁଦ ବସ ଦୁର୍ଘଟଣା। ଏଠାରେ ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି। ସେହିପରି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ରହିଥିବା ସୂଚନା ମିଳିଛି।

ରବିବାର ରାତି ପ୍ରାୟ ୧ଟା ବେଳେ ଦିଗପହଣ୍ଡିର ଖେମୁଣ୍ଡି କଲେଜ ଛକ ନିକଟରେ ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସଆରଟିସି ବସ ସହ ଏକ ଘରୋଇ ମିନି ବସର ଧକ୍କା ହୋଇଥିଲା। ଏହି ମିନି ବସରେ ବ୍ରହ୍ମପୁରରୁ ବିବାହ କାର୍ଯ୍ୟକ୍ରମ ସାରି କନ୍ୟା ପକ୍ଷର ଲୋକେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗାଁକୁ ଫେରୁଥିଲେ। ଏହି ଦୁର୍ଘଟଣାଟି ଏତେ ଭୟାବହ ଥିଲାକି ମିନି ବସର ବାମ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା।

ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଆହତ ଯାତ୍ରୀଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ  ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପକ୍ଷରେ ଜଣେ ଯାତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଦିଗପହଣ୍ଡି ବସ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତ ଯାତ୍ରୀ ପାଇଁ ୩୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଆହତ ଯାତ୍ରୀଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।

ଏହି ଦୁର୍ଘଟଣା ପରେ ଏବେ ଖଣ୍ଡଦେଉଳି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ନିଜ ଆତ୍ମୀୟଙ୍କୁ ହରାଇ ଦୁଃଖର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଅନେକ ପରିବାର।

Tags: #DigapahandiBusAccident #RoadAccident #Collision #OSRTC #Ganjam

LEAVE A REPLY

Please enter your comment!
Please enter your name here