ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁର ୧୨ ଜଣ। ମୃତକଙ୍କ ମଧ୍ୟରେ ରହିଛନ୍ତି ଗୋଟିଏ ପରିବାରର ୭ ଜଣ ସଦସ୍ୟ।

ଏହି ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ। ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି।

ରବିବାର ଦିନ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବ। ବ୍ରହ୍ମପୁର ବ୍ରହ୍ମାନଗରରେ କନ୍ୟାକୁ ଛାଡ଼ି ଏକ ମିନିବସରେ ଫେରୁଥିଲେ ସମ୍ପର୍କୀୟ। ଘରେ ପହଞ୍ଚିବାକୁ ମାତ୍ର ୭/୮ କିଲୋମିଟର ବାଟ ବାକିଥିଲା।

ରବିବାର ରାତ୍ରି ପ୍ରାୟ ୧ଟା ବେଳେ ଦିଗପହଣ୍ଡିର ଖେମୁଣ୍ଡି କଲେଜ ଛକ ନିକଟରେ କନ୍ୟା ପକ୍ଷଙ୍କ ମିନି ବସକୁ ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସଆରଟିସି ବସ ଧକ୍କା ଦେଇଥିଲା। ଫଳରେ ମିନି ବସରେ ଥିବା ଲୋକଙ୍କ ମଧ୍ୟରୁ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ୨ ଜଣ ଶିଶୁ ଏବଂ ୬ ଜଣ ପୁରୁଷ ଅଛନ୍ତି।

ଚାହୁଁ ଚାହୁଁ ଗୋଟିଏ ହସ ଖୁସିର ମାହୋଲ ନିମିଷକରେ ଧୂଳିସାତ୍ ହୋଇଗଲା। ଗୋଟିଏ ପଟେ ଝିଅକୁ ଶାଶୂଘର ବିଦା କରାଯାଇଥିବାବେଳେ ଅନ୍ୟପଟେ ୧୨ ଜଣ ସମ୍ପର୍କୀୟଙ୍କର କୋକେଇ ଉଠିଲା। ଦିନକ ଆଗରୁ ହସଖୁସିରେ ଉଛୁଳି ପଡ଼ୁଥିବା ପରିବାର ଏବେ କାନ୍ଦବୋବାଳି ଫାଟି ପଡ଼ୁଛି।

Tags: #Accident #DigapahandiAccident #Death #PresidentOfIndia #DroupadiMurmu

Comment