ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ଟାମ୍ପା ସହରରେ ପାଳନ ହୋଇଛି ରଥଯାତ୍ରା। ଘଣ୍ଟଘଣ୍ଟାର ତାଳେ ତାଳେ ହରିବୋଲ ଓ ହୁଳହୁଳି ଦେଇ ବହୁ ଆଡ଼ମ୍ଵରରେ ପ୍ରବାସୀ ଓଡ଼ିଆମାନେ ରଥଯାତ୍ରା ପାଳନ କରିଛନ୍ତି।

ଆମେରିକାର ଫ୍ଲୋରିଡା ସ୍ଥିତ ଟାମ୍ପା ସହରର ସନାତନ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରାକୁ ପ୍ରବାସୀ ଓଡ଼ିଆମାନେ ପାଳନ କରିଛନ୍ତି। ରଥଯାତ୍ରା ପୂର୍ବରୁ ସନାତନ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଏବଂ ନେତ୍ରୋତ୍ସବ ପାଳନ କରାଯାଇଥିଲା।  ସେହିପରି ଚଳିତ ବର୍ଷ ନୂଆ ରଥ ମଧ୍ୟ ନିର୍ମାଣ କରାଯାଇଥିଲା। ନବନିର୍ମିତ ରଥରେ ଚାରି ଠାକୁରଙ୍କୁ ପହଣ୍ଡି କରି ରଥାରୁଢ଼ କରିଥିଲେ ଭକ୍ତମାନେ। ଏହାପରେ ପ୍ରବାସୀ ଓଡ଼ିଆ ଏବଂ ଅନ୍ୟାନ୍ୟ ପ୍ରବାସୀ ଭାରତୀୟମାନେ ରଥକୁ ଟାଣିଥିଲେ। ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିର ନାଦରେ ପୂରା ପରିବେଶ କମ୍ପିଥିଲା। ଏହି ଉତ୍ସବରେ ସ୍ଥାନୀୟ ଆମେରିକୀୟମାନେ ମଧ୍ୟ ଯୋଗ ଦେଇଥିଲେ।ରଥଯାତ୍ରା ପାଳନ ଅବସରରେ ଓଡ଼ିଶୀ ଏବଂ କୁଚିପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଭକ୍ତମାନଙ୍କ ଲାଗି ସ୍ଵତନ୍ତ୍ର ଭାବେ ଛପନ ଭୋଗର ଆୟୋଜନ ମଧ୍ୟ ହୋଇଥିଲା।ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ବିଷୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଏବଂ କବିତା ରଚନା ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ରଥଯାତ୍ରାରେ ଟାମ୍ପା ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

Tags: #RathYatra #RathYatrainAmerica #OdiaSocietyofAmeracs

Comment