ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ହେବାକୁଥିବା ଆଇସିସି କ୍ରିକେଟ ବିଶ୍ଵକପ ୨୦୨୩ ପାଇଁ ଖେଳସୂଚୀ ଜାରି ହୋଇଛି। ଚଳିତବର୍ଷ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ଯାଏଁ କ୍ରିକେଟର ଏହି ମେଗା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ବିଶ୍ଵର ୧୦ଟି ଦଳ ଭାଗ ନେବେ। ଭାରତର ୧୨ଟି ସହରରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଟିମ୍ ଇଣ୍ଡିଆ ଅକ୍ଟୋବର ୮ ତାରିଖରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳି ନିଜର ଅଭିଯାନ ଆରମ୍ଭ କରିବ। ସେହିପରି ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମୁକବିଲା ହେବ। ଏନେଇ ମଙ୍ଗଳବାର ଦିନ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ବିଶ୍ଵକପର ପ୍ରଥମ ମ୍ୟାଚ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ। ନଭେମ୍ବର ୧୨ ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟର ମ୍ୟାଚଗୁଡ଼ିକ ଅନୁଷ୍ଠିତ ହେବ। ଏହାପରେ ନଭେମ୍ବର ୧୫ ଓ ୧୬ ତାରିଖରେ ମୁମ୍ବାଇ ଓ କୋଲକାତାରେ ବିଶ୍ଵକପ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଶେଷରେ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦରେ କ୍ରିକେଟ ବିଶ୍ଵକପର ଫାଇନାଲ ଅନୁଷ୍ଠିତ ହେବ।

୨୦୨୩ ଆଇସିସି କ୍ରିକେଟ ବିଶ୍ଵକପରେ ୧୦ଟି ଦଳ ଭାଗ ନେବେ। ଏମାନଙ୍କ ମଧ୍ୟରୁ ୮ଟି ଦେଶ ଯଥା ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟ ଖେଳିବେ ବୋଲି ଚୂଡ଼ାନ୍ତ ହୋଇଛି। ଅନ୍ୟ ଦୁଇଟି ଦଳ ଏବେ ଜିମ୍ବାୱେରେ ଚାଲୁଥିବା ଆଇଆଇସି ବିଶ୍ଵକପ କ୍ଵାଲିଫାୟାର ଟୁର୍ଣ୍ଣାମେଣ୍ଟରୁ ଯୋଗ୍ୟତା ଅର୍ଜନ କରିବେ।

ଏ ବର୍ଷର ଟୁର୍ଣ୍ଣାମେଣ୍ଟରେ ଟିମଗୁଡ଼ିକୁ ନେଇ କୌଣସି ଗ୍ରୁପ୍ କରାଯାଇନାହିଁ। ପ୍ରତି ଟିମ୍ ଅନ୍ୟ ୯ଟି ଟିମ ସହ ମ୍ୟାଚ ଖେଳିବ। ଏହି ରାଉଣ୍ଡ ରବିନ ପର୍ଯ୍ୟାୟରୁ ଶ୍ରେଷ୍ଠ ୪ଟି ଦଳ ସିଧାସଳଖ ସେନିଫାଇନାଲକୁ ଯିବେ।

ଚଳିତବର୍ଷ ଭାରତରେ ୧୨ଟି ସହରର ଷ୍ଟାଡିୟମରେ ଆଇସିସି କ୍ରିକେଟ ବିଶ୍ଵକପ ଖେଳାଯିବ। ଏଗୁଡ଼ିକ ମଧ୍ୟରେ ମୁମ୍ବାଇର ୱାଂଖେଡେ ଷ୍ଟାଡିୟମ, କୋଲକାତାର ଇଡେନ ଗାର୍ଡେନ୍ସ, ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମ, ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ, ବେଙ୍ଗାଳୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମ ଓ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଷ୍ଟାଡିୟମ ସାମିଲ ରହିଛି।

ସେହିପରି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ, ଥିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଟାଡିୟମ, ଲକ୍ଷ୍ନୌର ଏକନା ଷ୍ଟାଡିୟମ, ଗୌହାଟିର ଆସାମ କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଓ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବିଶ୍ଵକପ ମ୍ୟାଚ ଅନୁଷ୍ଠିତ ହେବ।

କ୍ରିକେଟ ବିଶ୍ଵକପର ମୁଖ୍ୟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୩ ତାରିଖ ଯାଏଁ ୱାର୍ମଅପ୍ ମ୍ୟାଚ ଖେଳାଯିବ। ବିଶ୍ଵକପକୁ ଆଉ ୧୦୦ ଦିନ ରହିବା ଅବସରରେ ମଙ୍ଗଳବାର ମୁମ୍ବାଇଠାରେ ଏହାର କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହାସହ ସୋମବାର ଏହି ବିଶ୍ଵକପ ଟ୍ରଫିର ଅନାବରଣ କରାଯାଇଥିଲା। ଆଗକୁ ଏହି ଟ୍ରଫି ଭାରତର ବିଭିନ୍ନ ସହର ସମେତ ବିଶ୍ଵର ୧୮ଟି ଦେଶରେ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।

Tags: #ICCCricketWorldCup2023 #Cricket #Sports #India #BCCI #ICC

Comment