ଓଡ଼ିଶାଲାଇଭ୍ ବ୍ୟୁରୋ

କାଳ ହେଲା ପରିବାରିକ କଳହ। କଳହ ଯୋଗୁଁ ନିଜର ହିତାହିତ ଜ୍ଞାନ ହରାଇ ବସିଲେ ଜଣେ ମହିଳା। ନିଜ ଜନ୍ମ କଲା ତିନି ସନ୍ତାନଙ୍କୁ କୂଅ ଭିତରକୁ ପକାଇବା ସହ ଆତ୍ମହତ୍ୟା କରିବାକୁ ନିଜେ ମଧ୍ୟ ଡେଇଁ ପଡ଼ିଥିଲେ। ଏହିଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କରଡ଼ାକଣା ପଞ୍ଚାୟତର ଲାଉଗୁଡ଼ା ଗାଁରେ।

ଲାଉଗୁଡ଼ା ଗାଁର ରଶ୍ମିତା ଗୌଡ଼ ରବିବାର ରାତିରେ କୌଣସି କାରଣକୁ ନେଇ ସ୍ଵାମୀଙ୍କ ସହ ପାଟିତୁଣ୍ଡ କରିଥିଲେ। ସୋମବାର ସକାଳେ ରଶ୍ମିତା ନିଜ ଦେଢ଼ ବର୍ଷର ପୁଅ ଏବଂ ଦୁଇ ଝିଅଙ୍କୁ ଘର ନିକଟରେ ଥିବା କୂଅକୁ ଫିଙ୍ଗି ଦେଇଥିଲେ। ଏହା ପରେ ନିଜେ କୂଅକୁ ଡେଇଁ ପଡ଼ିଥିଲେ।

କୂଅ ଭିତରୁ ରଶ୍ମିତାଙ୍କ ବଡ଼ ଝିଅର ଚିତ୍କାର ଶୁଣି ଗ୍ରାମବାସୀ ରଶ୍ମିତା ଏବଂ ତାଙ୍କ ବଡ଼ ଝିଅକୁ ଉଦ୍ଧାର କରିଥିଲେ। ଖବର ପାଇ ଲାଉଗୁଡ଼ା ଗାଁରେ ପହଞ୍ଚିଥିଲେ ପୋଲିସ ଏବଂ ଅଗ୍ନିଶମ ବାହୀନି କର୍ମଚାରୀ। ରଶ୍ମିତା ଏବଂ ତାଙ୍କ ବଡ଼ ଝିଅକୁ ଜୀବିତ ଉଦ୍ଧାର କରାଯାଇଥିବାବେଳେ କୂଅରୁ ବାହାରିଥିଲା ଦେଢ଼ ବର୍ଷର ପୁଅ ଏବଂ ୫ ବର୍ଷର ଝିଅର ମୃତ ଦେହ।

ଦୁଇ ସନ୍ତାନଙ୍କର ମୃତ୍ୟୁ ଖବର ପରେ ରଶ୍ମିତା ନିଜ ଜିଭ କାଟିବା ଦେବା ସହ ପୁଣି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି।

କେଉଁ କାରଣରୁ ରଶ୍ମିତା ଏଭଳି ଚରମ ପଦକ୍ଷେପ ନେଲେ? କେଉଁ କାରଣକୁ ନେଇ ତାଙ୍କର ସ୍ଵାମୀଙ୍କ ସହ ଝଗଡ଼ା ହୋଇଥିଲା? ସେ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପୋଲିସ ଚେଷ୍ଟ କରିଥିଲେ ମଧ୍ୟ ରଶ୍ମିତା ବର୍ତ୍ତମାନ ଠିକ୍ ଭାବେ କଥା କହିପାରୁ ନଥିବାରୁ ତାହା ସମ୍ଭବ ହୋଇପାରୁ ନାହିଁ।

ରଶ୍ମିତାଙ୍କ ସ୍ଵାମୀ କାମ ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି। ବିବାହ ପରେ ପରେ ନିଜ ପରିବାରଠାରୁ ଅଲଗା ହୋଇ ରହୁଥିଲେ ରଶ୍ମିତା ଏବଂ ତାଙ୍କ ସ୍ଵାମୀ। କେଉଁ କାରଣରୁ ରଶ୍ମିତା ଏଭଳି ନିଷ୍ପତ୍ତି ନେଲେ ଜାଣିନଥିବା କହିଛନ୍ତି ରଶ୍ମିତାଙ୍କ ଶ୍ଵଶୁର କେରା ଗୌଡ଼।

Tags: #Ganjam #LaugudaVillage #Death #Suicide

Comment