ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ପେନରେ ହେବାକୁ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଶୁକ୍ରବାର ୨୪ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଜୁଲାଇ ୨୫ ରୁ ୩୦ ଯାଏଁ ସ୍ପେନର ତେରାସାଠାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଇଂଲଣ୍ଡ, ନେଦରଲାଣ୍ଡସ ଏବଂ ଆୟୋଜକ ସ୍ପେନ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ। ଏହି ଦଳରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ନୀଲମ ସଞ୍ଜିପ ଖେସ। ଏନେଇ ଶୁକ୍ରବାର ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

“ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳରେ ଏକ ସନ୍ତୁଳନ ବଜାୟ ରଖିଛୁ। ଆଗକୁ ଥିବା ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏହା ଆମ ପାଇଁ ଏକ ଭଲ ସୁଯୋଗ। ଏହି ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଆମେ ଆମର ପ୍ରସ୍ତୁତି, ଦକ୍ଷତା ଏବଂ ତୃଟି ବାବଦରେ ଜାଣିପାରିବୁ। ଫଳରେ ତାକୁ ସୁଧାରି ଆମେ ଆଗକୁ ଥିବା ଏସିଆନ ଚାମ୍ପିଅନ୍ସ ଟ୍ରଫି ଏବଂ ଏସିଆନ ଗେମ୍ସ ପାଇଁ ନିଜକୁ ପ୍ରସ୍ତୁତ କରିପାରିବୁ”, କହିଛନ୍ତି ଭାରତୀୟ ପୁରୁଷ ହକି ଦଳ ମୁଖ୍ୟ କୋଚ କ୍ରେଗ୍ ଫୁଲଟନ।

ଏହି ଟୁର୍ଣ୍ଣାମେଣ୍ଟରେ ଡ୍ରାଗଫ୍ଲିକର ହରମନପ୍ରୀତ ସିଂଙ୍କ ନେତୃତ୍ଵରେ ମଇଦାନକୁ ଓହ୍ଲାଇବ ଭାରତୀୟ ଦଳ। ଦଳର ଉପଅଧିନାୟକ ଦାୟିତ୍ଵ ତୁଲାଇବେ ମିଡଫିଲଡର ହାର୍ଦ୍ଦିକ ସିଂ। ସେହିଭଳି ଅଭିଜ୍ଞ ଗୋଲରକ୍ଷକ ପି.ଆର.ଶ୍ରୀଜେସ ଏବଂ କ୍ରିଷ୍ଣା ବାହାଦୁର ପାଠକ ଗୋଲପୋଷ୍ଟ ସମ୍ଭାଳିବେ।

ସେହିଭଳି ଡିଫେଣ୍ଡର ଭାବେ ହରସନପ୍ରୀତ ସିଂଙ୍କ ସହ ଅମିତ ରୋହିଦାସ, ଜରମନପ୍ରୀତ ସିଂ, ନୀଲମ ସଞ୍ଜିପ ଖେସ, ମନପ୍ରୀତ ସିଂ, ସଞ୍ଜୟଙ୍କୁ ଦଳରେ ଦେଖିବାକୁ ମିଳିବ। ସେହପରି ବେଲଜିୟମ ଏଚଆଇଏଚ ପ୍ରୋ-ଲିଗ୍ ମ୍ୟାଚରୁ ବାଦ୍ ପଡ଼ିଥିବା ଡିଫେଣ୍ଡର ବରୁନ କୁମାର ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।

ଅନ୍ୟପଟେ ମିଡଫିଲ୍ଡ ଦାୟିତ୍ଵ ତୁଲାଇବେ ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ସମସେର ସିଂ, ରାଜକୁମାର ପାଲ୍, ସୁମିତ, ନୀଳକାନ୍ତ ଶର୍ମା। ଅଭିଜ୍ଞ ତଥା ଆଟାକିଂ ଫରୱାର୍ଡ ଖେଳାଳି ଭାବେ ଲଳିତ ଉପାଧ୍ୟାୟ, ମନଦୀପ ସିଂ, ଗୁରଜାଣ୍ଟ ସିଂ, ସୁଖଜିତ ସିଂ, ଅଭିଶେଖ, ପୱନ, ଦୀଲପ୍ରୀତ ସିଂ, ସିମରନଜିତ୍ ସିଂ ଏବଂ କାର୍ତ୍ତି ସେଲଭମ ଦଳରେ ସାମିଲ ହୋଇଛନ୍ତି।

Tags: #FourNationHockeyTournament #IndianHockeyTeam #OdiaPlayer #HockeyIndia

Comment