ଓଡ଼ିଶାଲାଇଭ୍ ବ୍ୟୁରୋ

ହକି କଥା ଆସିଲେ ଓଡ଼ିଶାର ନାଁ ଆପେ ଆପେ ଆଗକୁ ଚାଲିଆସେ। ଓଡ଼ିଶାର ଅନେକ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ରାଜ୍ୟ ପାଇଁ ଆଣିଛନ୍ତି ଅନେକ ଗୌରବ। ହକି ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ବିଶ୍ଵସ୍ତରରେ ସମ୍ମାନିତ ମଧ୍ୟ ହୋଇଛି।

ଆମେ ସମସ୍ତେ ହକି ଖେଳ ଓ ଖେଳାଳିମାନଙ୍କୁ ଜାଣୁ, ହେଲେ ଏହି ଖେଳାଳିମାନଙ୍କୁ ଗଢ଼ିଥିବା କୋଚ୍‌ମାନଙ୍କୁ ଖୁବ୍ କମ ଲୋକ ଜାଣନ୍ତି। ସେହିଭଳି ଜଣେ ହକି କୋଚ୍ ହେଉଛନ୍ତି ଅମୂଲ୍ୟାନନ୍ଦ ବିହାରୀ, ହକିର ଅନ୍ୟତମ ଦ୍ରୋଣାଚାର୍ଯ୍ୟ। ଓଡ଼ିଶାଲାଇଭ୍‌ର ସ୍ଵତନ୍ତ୍ର ସାକ୍ଷାତକାରରେ ନିଜ ହକି ଏବଂ କୋଚ୍ ଜୀବନ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି ଅମୂଲ୍ୟାନନ୍ଦ ବିହାରୀ।ନିଜର କୋଚିଂ ଜୀବନକୁ ନେଇ ଅମୂଲ୍ୟାନନ୍ଦ କହନ୍ତି, “ମୁଁ ୧୯୮୬ ମସିହାରେ ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ହକି କୋଚ୍ ଭାବେ ନିଯୁକ୍ତ ହୋଇଥିଲି। ଏଠାରେ ପଶ୍ଚିମ ଓଡ଼ିଶା ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପିଲାମାନଙ୍କୁ ପ୍ରତିଭା ହିସାବରେ ବଛାଯାଇ ଅଣାଯାଉଥିଲା।  ଆମେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ବାଛି ଉନ୍ନତଧରଣର ପ୍ରଶିକ୍ଷଣ ଦେଉଥିଲୁ। ପରେ ସେହିମାନଙ୍କ ମଧ୍ୟରୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖେଳାଳି ବନିଛନ୍ତି।”

ଓଡ଼ିଶା ହକିର ଜଣେ ପ୍ରମୁଖ ପ୍ରଶିକ୍ଷକ ହେଉଛନ୍ତି ଅମୂଲ୍ୟାନନ୍ଦ ବିହାରୀ। ତାଙ୍କଠାରୁ ତାଲିମ ପାଇ ଅନେକ ଖେଳାଳି ଖାଲି ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ହକି ଖେଳିଛନ୍ତି। ନିଜର ଖେଳ ମାଧ୍ୟମରେ ସେମାନେ ରାଜ୍ୟ ତଥା ଦେଶ ପାଇଁ ଖୁବ୍ ପ୍ରଶଂସା ସାଉଁଟିଛନ୍ତି।

ଅଲିମ୍ପିଆନ ଲାଜରୁସ ବାର୍ଲା, ୱିଲିୟମ ଖାଲକୋ, ଇଗ୍ନେସ ତିର୍କୀଙ୍କ ଭଳି ଅନ୍ତର୍ଜାତୀୟ ହକି ତାରକା ଅମୂଲ୍ୟାନନ୍ଦଙ୍କଠାରୁ ପ୍ରଶିକ୍ଷଣ ନେଇଛନ୍ତି। ଏହାଛଡ଼ା ଅନେକ ମହିଳା ଖେଳାଳିଙ୍କୁ ଗଢ଼ିବାରେ ତାଙ୍କର ବିଶେଷ ଅବଦାନ ରହିଛି। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ, ବିନିତା ଟପ୍ପୋ, ଅଲିମ୍ପିଆନ ନମିତା ଟପ୍ପୋ ଓ ସୁନିତା ଲାକ୍ରାଙ୍କ ଭଳି ଖେଳାଳି ତାଙ୍କଠାରୁ ତାଲିମ ପାଇଛନ୍ତି।

 

ନିଜ ଜୀବନରେ ଅମୂଲ୍ୟାନନ୍ଦ ବିହାରୀ ଅନେକ ଜଣଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସେ ଜଣେ ଦକ୍ଷ କୋଚ୍ ଭାବେ ବେଶ ଜଣାଶୁଣା। ତାଙ୍କର ହକି ପ୍ରତି ଥିବା ବିଶେଷ ଅବଦାନ ପାଇଁ ସେ ଅନେକ ସ୍ଥାନରୁ ସମ୍ମାନିତ ହୋଇଛନ୍ତି। ୨୦୦୬ ମସିହାରେ ଓଡ଼ିଶା ସରକାର ତାଙ୍କୁ ‘ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର’ ପ୍ରଦାନ କରିଥିଲେ।

Tags: #AmulyanandaBihari #HockeyCoach #Hockey #PanposhSportsHostel #OdishaHockey

Comment