ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରେ ଆମେରିକାରେ ରହୁଥିବା ଭାରତୀୟ ଲେଖିକା ରୁପା ଦାଶଙ୍କ ଇଂରାଜୀ ପୁସ୍ତକ ‘ଲିଡ୍‍ହର’ ଉନ୍ମୋଚିତ ହୋଇଛି। ଆଇଆଇଏମସିର ଆଞ୍ଚଳିକ ନିର୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଶୁକ୍ରବାର ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ବିଶ୍ୱର ୬୦ ଜଣ ସଶକ୍ତ ନାରୀଙ୍କ କଥା ଉଲ୍ଲେଖ ରହିଛି।

ନାରୀମାନେ କିପରି ବିଭିନ୍ନ ବାଧକ ସତ୍ତ୍ୱେ ନିଜେ ସଶକ୍ତ ହୋଇପାରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ପାଲଟିଛନ୍ତି, ତା’ର ଉଦାହରଣ ଦେଖିବାକୁ ମିଳିଛି ଏହି ପୁସ୍ତକରେ।

“ନିଜ ଲକ୍ଷ୍ୟ ସ୍ଥିର କରିବା ସହ ଆତ୍ମବିଶ୍ୱାସ ଓ ନିଷ୍ଠା ରହିଲେ ଜଣେ ନିଶ୍ଚୟ ସଫଳ ହୋଇପାରିବ। ସେଥିପାଇଁ ପିଲାଟିଦିନୁ ନିଜର ଲକ୍ଷ୍ୟ ବାଛିବା ଦରକାର। ଆଉ ସେହି ଲକ୍ଷ୍ୟକୁ ସଫଳ କରିବା ଲାଗି ସବୁ ପ୍ରକାର ଚେଷ୍ଟା କରିବା ଉଚିତ”, କହିଛନ୍ତି ଡକ୍ଟର ମୃଣାଳ ଚାଟାର୍ଜୀ।

ଏହି ‘ଲିଡ୍‍ହର’ ପୁସ୍ତକକୁ ଲେଖିକା ରୁପା ଦାଶଙ୍କ ଦଶ ବର୍ଷୀୟ ଝିଅ ଆୟାତି ଦାଶ କର ଡିଜାଇନ୍‍ କରିଛନ୍ତି। ଏହି ପୁସ୍ତକ ଉନ୍ମୋଚନ ଅବସରରେ ଆୟାତି ଜଣେ ଛୋଟ ଝିଅ କିପରି ରୋଗରେ ପୀଡ଼ିତ ହୋଇ ମଧ୍ୟ ଭାଙ୍ଗି ନପଡ଼ି ନିଜର ସ୍ୱପ୍ନ ସାକାର କରିଛି, ତାହାର ଏକ ଭିଡିଓ ଉପସ୍ଥାପନା କରିଥିଲେ।

“ଆଜିକାଲି ମହିଳାମାନେ କେବଳ ସଫଳ ହେଉନାହାନ୍ତି ବରଂ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟୁଛନ୍ତି। ଅନ୍ୟମାନଙ୍କୁ ପଥ ପ୍ରଦର୍ଶନ କରିବା ସହ ସଫଳ ହେବା ଦିଗରେ ଉତ୍ସାହିତ ମଧ୍ୟ କରୁଛନ୍ତି। ସାରା ବିଶ୍ୱରେ ଏମିତି ଅନେକ ନାରୀଙ୍କ ଉଦାହରଣ ରହିଛି। ଏଣୁ ସଫଳ ହେବା ପାଇଁ ସ୍ୱପ୍ନ ଦେଖିବା ଉଚିତ ଆଉ ତାକୁ ହାସଲ କରିବା ପାଇଁ ପରିଶ୍ରମ କରିବା ଦରକାର”, କହିଛନ୍ତି ଲେଖିକା ରୁପା ଦାଶ।


ରୁପା ଦାଶ ଆମେରିକାର ଲସ୍‍ ଆଞ୍ଜେଲେସରେ ଜଣେ ବିଶିଷ୍ଟ ଉଦ୍ୟୋକ୍ତା ଭାବେ ପ୍ରତିଷ୍ଠିତ। ବର୍ତ୍ତମାନ ସେ ‘ୱାଲ୍ଡ ୱିମେନ୍‍ ଫାଉଣ୍ଡେସନ୍‍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଭାବେ କାର୍ଯ୍ୟ କରୁଛନ୍ତି। ଏହା ହ୍ୱାଇଟ୍‍ ହାଉସ୍‍ ଦ୍ୱାରା ସ୍ୱୀକୃତ ବିଶ୍ୱର ସବୁଠୁଁ ବଡ଼ ମହିଳା ଉଦ୍ୟୋଗୀ ନେଟ୍‍ୱର୍କ। ରୁପା ଦାଶ ପ୍ରଥମ ଭାରତୀୟ ଆମେରିକୀୟ ଭାବେ ଏହାର ସବୁଠୁ ବଡ଼ ପଦବୀର ଦାୟିତ୍ଵ ନେଇଛନ୍ତି।

Tags: #IIMCDhenkanal #Bookrealese #LEADhERBook #MrunalChatarjee #RupaDash

 

Comment