ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରେମ ପାଇଁ ପାକିସ୍ତାନର ସୀମା ଡେଇଁ ଭାରତରେ ପହଞ୍ଚିଥିବା ସୀମା ହାଇଦରଙ୍କୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିବାକୁ ଲାଗିଛି। ଏମିତି କି ସୀମା ହାଇଦରଙ୍କ ପ୍ରକୃତ ନାଁ ମରିୟମ ଖାନ ଏବଂ ପ୍ରେମ ପାଇଁ ନୁହେଁ ବରଂ ଶତ୍ରୁଦେଶର ସ୍ପାଏ ହିସାବରେ ସେ ଭାରତ ଆସିଛନ୍ତି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଏବେ ସତ ଖୋଜିବାକୁ ଲାଗି ପଡ଼ିଛି ଉତ୍ତରପ୍ରଦେଶର ଏଟିଏସ (ଆଣ୍ଟି ଟେରୋରିଜିମ ସ୍କ୍ଵାର୍ଡ) ଟିମ୍।

ସୀମା ଏବଂ ସଚିନ ଠାକୁରଙ୍କୁ ଦୁଇ ଦିନ ହେଲା ଏଟିଏସ ଟିମ୍ ମାରାଥନ ଜେରା କରୁଛି। ଜେରା ବେଳେ ସୀମା ହାଇଦର ଅନେକ ଗୁମର ଖୋଲିଛନ୍ତି। କେବଳ ସଚିନ ନୁହଁନ୍ତି, ପବଜି ଜରିଆରେ ସେ ଦିଲ୍ଲୀ ଏନସିଆରର ଅନେକ ଯୁବକଙ୍କୁ ସହ କଥା ହେଉଥିଲେ। ବିନା ସଙ୍କୋଚରେ ସୀମା ଦେଉଥିବା ଉତ୍ତରକୁ ନେଇ ଏବେ ଏଟିଏସ ଟିମର ସନ୍ଦେହ ବଢ଼ିଥିବା କୁହାଯାଉଛି।

ଏଟିଏସ ଅଧିକାରୀ ଦୀର୍ଘ ୮ଘଣ୍ଟା ଧରି ସୀମା, ସଚିନ ଏବଂ ସଚିନଙ୍କ ବାପାଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲେ। ପଚରା ଉଚରା ସମୟରେ ସୀମାଙ୍କୁ ଇଂରାଜୀରେ କିଛି ଧାଡ଼ି ପଢ଼ାଇଥିଲେ ଏଟିଏସ ଟିମ୍। ଇଂରାଜୀର ସେହି ଲାଇନଗୁଡ଼ିକୁ ଅତି ପ୍ରାଞ୍ଜଳ ଏବଂ ସ୍ପଷ୍ଟ ଭାବେ ପଢ଼ିଥିଲେ ସୀମା, ସୀମାଙ୍କ ପଢ଼ିବା ଶୈଳୀ ଏବଂ ଉଚ୍ଚାରଣକୁ ନେଇ ମଧ୍ୟ ଏଟିଏସର ସନ୍ଦେହ ଆହୁରି ବଢ଼ିଛି।

ସୀମାଙ୍କର ଭାଇ ଏବଂ ଦାଦା ପାକିସ୍ତାନ ଆର୍ମୀରେ ଥିବା ପଚରା ଉଚରା ସମୟରେ ଜାଣିବାକୁ ପାଇଛି ଆଣ୍ଟି ଟେରୋଜିମ ସ୍କ୍ଵାର୍ଡ। ସୀମାଙ୍କ ପାସପୋର୍ଟ, ଆଧାରକାର୍ଡ ଏବଂ ତାଙ୍କ ଚାରି ସନ୍ତାନଙ୍କର ରେକର୍ଡ ମଧ୍ୟ ଯାଞ୍ଚ କରାଯାଇଛି। ସୀମାଙ୍କଠାରୁ ୪ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।

ଆଇଏସଆଇ ଏବଂ ପାକିସ୍ତାନ ଆର୍ମୀ ସହ କନେକ୍ସନକୁ ନେଇ ଯାଞ୍ଚ

ସୀମା ହାଇଦରଙ୍କର ଆଇଏସଆଇ ଏବଂ ପାକିସ୍ତାନ ଆର୍ମୀ ସହ ଲିଙ୍କକୁ ନେଇ ଏଟିଏସର ଯାଞ୍ଚ ଜାରି ରହିଛି। ଏହା ବ୍ୟତୀତ ସୀମା ନୋଏଡା ପୋଲିସକୁ ଦେଇଥିବା ବୟାନ ଏବଂ ଏଟିଏସକୁ ଦେଇଥିବା ଉତ୍ତର ସହ ତାଳମେଳ ରହୁଛିକି ନାହିଁ ତାହା ଦେଖାଯିବ।

ଗତ ମାର୍ଚ୍ଚ ମାସରେ ପ୍ରଥମ ଥର ଲାଗି ସୀମା ଏବଂ ସଚିନ କାଠମାଣ୍ଡୁଠାରେ ଦେଖା ହୋଇଥିଲେ। ସୀମାଙ୍କ ବିଷୟରେ ତତ୍ୟ ସଂଗ୍ରହ କରିବାକୁ ଏଟିଏସ ଟିମ୍ ନେପାଳ ଯିବ ବୋଲି ଜଣାପଡ଼ିଛି।

ଏଟିଏସ ତଦନ୍ତ ରିପୋର୍ଟ ଲକ୍ଷ୍ନୌ ପୋଲିସ ଥାନାରେ ଦାଖଲ କରାଯିବା ପରେ ସେଠାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏହି ରିପୋର୍ଟ ପଠାଯିବ। ଏହି ରିପୋର୍ଟ ଆଧାରରେ ସୀମାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଜଣେ ଏଟିଏସ ଅଧିକାରୀ କହିଛନ୍ତି।

Tags: #PakistanSeemaHaider #SachinThakur #SecretsOfSeema #ATS

Comment