ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ ପକ୍ଷରୁ ‘ଟିଭି ନ୍ୟୁଜ୍ ସ୍କ୍ରିପ୍ଟିଂ’ ଓ ‘ମୋବାଇଲ୍ ସାମ୍ବାଦିକତା’ ଉପରେ ଦୁଇଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ସାମ୍ବାଦିକତା ବିଭାଗର ଅଡିଓ-ଭିଜୁଆଲ୍ ଷ୍ଟୁଡିଓରେ ଜୁଲାଇ ୧୩ ଓ ୧୪ ତାରିଖରେ ଏହା ଅନୁଷ୍ଠିତ ହୋଇଥିଲା। ଏହି କାର୍ମଶାଳାରେ ‘ଓଡ଼ିଶାଲାଇଭ୍’ର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଏବଂ ୟୁନିସେଫ୍ ଇଣ୍ଡିଆର ପ୍ରୋଗ୍ରାମ ଆସୋସିଏଟ୍ ତାଜିନ୍ କୁରେଶି ଅତିଥି ଅଧ୍ୟାପକ ଭାବେ ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କୁ ଟେଲିଭିଜନ୍ ନ୍ୟୁଜ୍ ଲେଖିବାର ଶୈଳୀ ଏବଂ ସଠିକ ଉପସ୍ଥାପନ ବିଷୟରେ ଶିକ୍ଷା ଓ ତାଲିମ ଦିଆଯାଇଥିଲା। ଭବିଷ୍ୟତରେ ଏହା ସେମାନଙ୍କୁ ସାମ୍ବାଦିକତାରେ ଫିଲ୍ଡ ରିପୋର୍ଟିଂ ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରିବା ସମୟରେ ସହାୟକ ହୋଇପାରିବ।

କର୍ମଶାଳାରେ ନୀଲମ୍ବର ରଥ ଛାତ୍ରଛାତ୍ରୀମାନଙ୍କୁ ଏକ କାହାଣୀ ବାଛିବା, ଏଥିପାଇଁ ଭିଜୁଆଲ୍ ଲେଖିବାର ପ୍ରକ୍ରିୟା, କ୍ୟାମେରା ଗତିବିଧି ଏବଂ ଭିଡିଓ ସୁଟିଂ ଓ ଏଡିଟିଂ ଆଦିର ଉପଯୁକ୍ତ ଶୈଳୀ ବାବଦରେ ବର୍ଣ୍ଣନା କରିଥିଲେ। ସେ ଏକ କାହାଣୀ ଉପସ୍ଥାପନର ପାଇଁ ପ୍ରଭାବଶାଳୀ ଭିଜୁଆଲର ମହତ୍ତ୍ଵ ବିଷୟରେ କହିଥିଲେ। ଏହାସହ ସାମ୍ବାଦିକତା କ୍ଷେତ୍ରରେ ନିଜର ଦୀର୍ଘ ବର୍ଷର ଅଭିଜ୍ଞତାରୁ ସେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ମଧ୍ୟ ଦେଇଥିଲେ।

ସେହିପରି ତାଜିନ୍ କୁରେଶି ଏଠାରେ ଛାତ୍ରଛାତ୍ରୀଙ୍କୁ ମୋବାଇଲ୍ ସାମ୍ବାଦିକତା ପାଇଁ ନ୍ୟୁଜ ଲେଖା, ଫଟୋଗ୍ରାଫି ଆଦିର ବ୍ୟବହାରିକ ଜ୍ଞାନ ସମ୍ପର୍କରେ ଶିକ୍ଷା ଦେଇଥିଲେ। ଏହାସହ ସେ ମୋବାଇଲ୍ ସାମ୍ବାଦିକତା କ୍ଷେତ୍ରରେ ସୋସିଆଲ ମିଡିଆର ସଠିକ ଉପଯୋଗ ବିଷୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

“ଟେଲିଭିଜନ୍ ନ୍ୟୁଜ୍ ଲେଖିବାର ଶୈଳୀ ଏବଂ କୌଶଳ ବାବଦରେ ଛାତ୍ରଛାତ୍ରୀଙ୍କୁ ତାଲିମ ଓ ଶିକ୍ଷା ଦେବା ଏହି କର୍ମଶାଳାର ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହାସହ ଆଜିର ସାମ୍ବାଦିକତା କ୍ଷେତ୍ରରେ ନୂଆ ଧାରା ପାଲଟିଥିବା ମୋବାଇଲ୍ ସାମ୍ବାଦିକତାର ବ୍ୟବହାରିକ ଜ୍ଞାନ ସମ୍ପର୍କରେ ଏହି କାର୍ମଶାଳାରେ ଶିକ୍ଷା ଦିଆଯାଇଛି। ଏହା ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କୁ ନିଜ ସାମ୍ବାଦିକତା ଜୀବନରେ ଭଲ କରିବା ପାଇଁ ସହାୟକ ହେବ”, କହିଛନ୍ତି ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ଭାରତୀ ବାଳା ପଟ୍ଟନାୟକ।

ଏହି କର୍ମଶାଳରେ କ୍ଲାସ ରୁମ ସହ କିଛି ପ୍ରାକ୍ଟିକାଲ ସେସନର ଆୟୋଜନ କରାଯାଇଥିଲା। ଏହାସହ ଏଠାରେ ହୋଇଥିବା ପ୍ରଶ୍ନ-ଉତ୍ତର ସେସନରେ ଛାତ୍ରଛାତ୍ରୀମାନେ ସାମ୍ବାଦିକତା ଏବଂ ଯୋଗାଯୋଗ ଆଦି ବିଷୟରେ ଅତିଥି ଅଧ୍ୟପକମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ଏହି କର୍ମଶାଳରେ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡକ୍ଟର ଆଶିଷ କୁମାର ନାୟକ, ଡକ୍ଟର ସ୍ମିତୀ ପାଢ଼ୀ, ମୋତି ପାଙ୍ଗକମ, ଧିରେନ୍ଦ୍ର କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Tags: #FMUniversity #DeptofMJMC #Workshop #TvNewsWriting #MobileJournalism #Balasore

Comment