ଓଡ଼ିଶାଲାଇଭ୍ ବ୍ୟୁରୋ

ଏଫଆଇଏଚ୍ ପ୍ରୋ-ଲିଗ ହକି ୨୦୨୩-୨୪ ପାଇଁ ଖେଳସୂଚୀ ଘୋଷିତ ହୋଇଛି। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରୁ ମ୍ୟାଚ ଖେଳି ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବେ। ୨୦୨୪ ଫେବ୍ରୁଆରି ମାସରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ୨୦ଟି ମ୍ୟାଚ ଖେଳାଯିବ। ଏନେଇ ବିଶ୍ଵ ହକି ମହାସଂଘ (ଏଫଆଇଏଚ୍) ପକ୍ଷରୁ ସୂଚନା ଦିଆଯାଇଛି।

ଏଫଆଇଏଚର ଖେଳ ସୂଚୀ ଅନୁସାରେ ଅସନ୍ତା ବର୍ଷ ଭାରତୀୟ ମହିଳା ହକି ଦଳ ପ୍ରଥମେ ଫେବ୍ରୁଆରି ୪ ତାରିଖରେ ‌ଚୀନ୍‌ ଓ ପୁରୁଷ ହକି ଦଳ ଫେବ୍ରୁଆରି ୧୦ ତାରିଖରେ ସ୍ପେନ୍‌ ବିପକ୍ଷରେ ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳିବେ।

ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଫେବ୍ରୁଆରି ୩ ତାରିଖରୁ ୯ ତାରିଖ ଯାଏଁ ମହିଳା ପ୍ରୋ-ଲିଗ ମ୍ୟାଚ ଖେଳାଯିବାକୁ ଥିବାବେଳେ ଫେବ୍ରୁଆରି ୧୦ ତାରିଖରୁ ୧୬ ତାରିଖ ଯାଏଁ ପୁରୁଷ ପ୍ରୋ-ଲିଗ ମ୍ୟାଚ ଅନୁଷ୍ଠିତ ହେବ।

ସେହିପରି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫେବ୍ରୁଆରି ୧୨ ତାରିଖରୁ ୧୮ ତାରିଖ ଯାଏଁ ମହିଳା ପ୍ରୋ-ଲିଗ ମ୍ୟାଚ ଖେଳାଯିବାକୁ ଥିବାବେଳେ ଫେବ୍ରୁଆରି ୧୯ ତାରିଖରୁ ୨୫ ତାରିଖ ଯାଏଁ ପୁରୁଷ ପ୍ରୋ-ଲିଗ ହକି ମ୍ୟାଚ ଅନୁଷ୍ଠିତ ହେବ।

୨୦୨୩-୨୪ ପ୍ରୋ-ଲିଗ ହକିର ଉଭୟ ପୁରୁଷ ଓ ମହିଳା ସଂସ୍କରଣରେ ୯ଟି ଲେଖାଏଁ ଦଳ ଭାଗ ନେବେ। ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ, ବେଲଜିୟମ, ଜର୍ମାନୀ, ନେଦରଲାଣ୍ଡସ୍ ଭଳି ଟାଣୁଆ ଦଳ ଭାଗ ନେବେ। ଏହି ପ୍ରତିଯୋଗିତାରୁ ଉଭୟ ମହିଳା ଓ ପୁରୁଷ ବିଶ୍ଵକପ୍‌ ୨୦୨୬ ଲାଗି କିଛି ଦଳ ଯୋଗ୍ୟତା ଅର୍ଜନ କରିବେ।

Tags: #FIHProLeague2023-24 #Hockey #InternationalTournament #FIH #HockeyIndia

Comment