ଓଡ଼ିଶାଲାଇଭ୍ ବ୍ୟୁରୋ

ବାରାଣାସୀ ସ୍ଥିତ ଜ୍ଞାନବାପୀ ମସଜିଦ୍‌ ପରିସରରେ ଏଏସଆଇର ସର୍ଭେ କାମ ବନ୍ଦ କରିବା ଲାଗି ସୋମବାର ଦିନ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଜୁଲାଇ ୨୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହି କଟକଣା ଲାଗୁ କରିଛନ୍ତି।

ଜୁଲାଇ ୨୪ ତାରିଖରୁ ବିବାଦୀୟ ସ୍ଥଳକୁ ଛାଡ଼ି ଜ୍ଞାନବାପୀ ପରିସରରେ ଥିବା ଅନ୍ୟ ଅଞ୍ଚଳର ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ (ଏଏସଆଇ) ସର୍ଭେ କରିବାକୁ ଜୁଲାଇ ୨୧ ତାରିଖରେ ଅନୁମତି ପ୍ରଦାନ କରିଥିଲେ ବାରାଣାସୀ ଜିଲ୍ଲା ଦୌରାଜଜ୍ କୋର୍ଟ। କିନ୍ତୁ ସର୍ଭେ ବନ୍ଦ କରିବା ଲାଗି ଜ୍ଞାନବାପୀ ମସଜିଦ ପରିଚାଳନା କମିଟି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା।

କେବଳ ବିବାଦୀୟ ସ୍ଥଳକୁ ଛାଡ଼ି ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ କରିବା ଲାଗି ବାରାଣାସୀ ଜିଲ୍ଲା ଦୌରାଜଜ୍ କୋର୍ଟ ଅନୁମତି ପ୍ରଦାନ କରିଥିଲେ। ସର୍ଭେ ରିପୋର୍ଟ ଆସନ୍ତା ଅଗଷ୍ଟ ୪ ତାରିକ ସୁଦ୍ଧା ଦାଖଲ କରିବାକୁ ଏଏସଆଇକୁ ନିର୍ଦେଶ ଦିଆଯାଇଥିଲା। ସର୍ଭେ ରିପୋର୍ଟ ଆଧାରରେ ଏହା ଉପରେ ପରବର୍ତ୍ତୀ ଶୁଣାଣି କରାଯିବ।

’ଣ ଏହି ଜ୍ଞାନବାପୀ ମାମଲା?

ଗତ ୨୦୨୧ ମସିହା ଅଗଷ୍ଟ ମାସରେ ପାଞ୍ଚଜଣ ମହିଳା ବାରାଣାସୀ ସିଭିଲ ଜଜଙ୍କ ନିକଟରେ ଜ୍ଞାନବାପୀ ମସଜିଦକୁ ଲାଗି ନିର୍ମିତ ଶୃଙ୍ଗାର ଗୌରୀ ମନ୍ଦିରରେ ପ୍ରତ୍ୟହ ପୂଜାର୍ଚ୍ଚନା ଏବଂ ଦର୍ଶନ ନିମନ୍ତେ ଅନୁମତି ଦେବାକୁ ଆବେଦନ କରିଥିଲେ। ମହିଳାମାନଙ୍କ ଆବେଦନ ଆଧାରରେ ବିଚାରପତି ରବି କୁମାର ଦିବାକର ମସଜିଦ ମରିସରର ଏଡଭୋକେଟ ସର୍ଭେ କରିବାକୁ ନିର୍ଦେଶ ଦେଇଥିଲେ।

କୋର୍ଟଙ୍କ ନିର୍ଦେଶ ଅନୁସାରେ ଗତ ବର୍ଷ ୩ଦିନ ଧରି ସର୍ଭେ କରାଯାଇଥିଲା। ସର୍ବେ ପରେ ଏଠାର ଶିବ ଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରିଥିଲେ। ଏପରିକି ମସଜିଦର ବଜୁଖାନାରେ ଶିବଲିଙ୍ଗ ଥିବା ଦାବି ହୋଇଥିଲା। କିନ୍ତୁ ମୁସଲିମ ପକ୍ଷ ଏହା ଶିବଲଙ୍ଗ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ।

ଏହା ପରେ ସମ୍ପୃକ୍ତ ମହିଳାମାନେ ବିବାଦୀୟ ସ୍ଥାନକୁ ଛାଡ଼ି ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ କରିବାକୁ ଆବେଦନ କରିଥିଲେ। ଶୁକ୍ରବାର ଦିନ ଏଏସଆଇ ସର୍ଭେ କରିବାକୁ ଅନୁମତି ପ୍ରଦାନ କରିଥିଲେ ବାରାଣାସୀ ବାରାଣାସୀ କୋର୍ଟ।

Tags: #GyanvapiMasjidCase #ASISurvey #VaranasiCourt #SupremeCourt

Comment