ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁରରେ ଲାଗି ରହିଥିବା ହିଂସାକାଣ୍ଡ ଥମିବାର ନାଁ ନେଉନି। ଜାତିକୁ ନେଇ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସବୁ ସୀମା ଟପି ସାରିଲାଣି। ଏହି ହିଂସାକାଣ୍ଡକୁ ନେଇ ସାରା ଦେଶ ଉଠୁଛି ପଡ଼ୁଛି। ଅଶାନ୍ତ ହୋଇପଡ଼ିଥିବା ମଣିପୁରର ସ୍ଥିତି ନିୟନ୍ତ୍ରଣ ପାଇଁ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଜୋମି ଏବଂ କୁକି ସଙ୍ଗଠନ।

ରାଜ୍ୟରେ ୩୫୬ ଧାରା ଲାଗୁ କରି ରାଷ୍ଟ୍ରପତି ଶାସନ ଜାରି କରିବା ସହ ହିଂସାର ମୂଳ କାରଣ ଖୋଜିବାକୁ ଏନଆଇଏ ଯାଞ୍ଚ ଲାଗି ମଧ୍ୟ ସଙ୍ଗଠନ ଅପିଲ କରିଛି।

ଅନ୍ୟ ପଟେ ସମାଜବାଦୀ ପାର୍ଟିର ସାଂସଦ ରାମଗୋପାଳ ଯାଦବ ଏବଂ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା ମଧ୍ୟ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଛନ୍ତି।

ମଣିପୁରରେ ଗତ ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଧୀରେ ଧୀରେ ଉଗ୍ରରୂପ ଧାରଣ କରୁଛି। ଜଳାପୋଡ଼ାଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଭୟଙ୍କର ଘଟଣା ଘଟିଛି। ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାର ଏକ ଭିଡିଓ ଭାଇରାଲ ହେବା ଘଟଣା କେବଳ ମଣିପୁର ନୁହେଁ ସମଗ୍ର ଭାରତକୁ ଲଜ୍ଜିତ କରିଛି।

ଏହି ଘଟଣାରେ ଅବଶ୍ୟ ୪ ଜଣଙ୍କୁ ଗିରଫ କରାଗଲା। ତଥାପି ଶାନ୍ତ ହୋଇପାରୁ ନାହିଁ ମଣିପୁରର ପରିସ୍ଥିତି। ପ୍ରତିଦିନ ଏଠାରେ ହିଂସାକୁ ନେଇ ବିଭିନ୍ନ ଖବର ଆସିବାକୁ ଲାଗିଛି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏ ଦିଗରେ ତୁରନ୍ତ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Tags: #ManipurViolence #PresidentssRule

Comment