ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ କଟକରେ ପହଞ୍ଚିଛନ୍ତି। ବୁଧବାର ସକାଳେ ସେ ସଡ଼କପଥରେ କଟକରେ ପହଞ୍ଚିଥିଲେ। ପ୍ରଥମେ ସେ ଏଠାରେ ଚଣ୍ଡୀମନ୍ଦିରରେ ମା’ ଚଣ୍ଡୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମଧ୍ୟ କଟକ ଗସ୍ତରେ ଆସିଛନ୍ତି।

ଏହି ଗସ୍ତ ବେଳେ ଚଣ୍ଡୀମନ୍ଦିରର ମୁଖ୍ୟ ପୂଜକ ରାଷ୍ଟ୍ରପତିଙ୍କୁ ମନ୍ଦିରର ନୀତିକାନ୍ତି ସଂପର୍କରେ ସବିଶେଷ ସୂଚନା ଦେଇଥିଲେ। ସେଠାରେ ପୂଜା କରିବା ପରେ ରାଷ୍ଟ୍ରପତିଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ମା’ ଚଣ୍ଡୀଙ୍କ ଶାଢ଼ୀ ଏବଂ ଫଟୋ ଉପହାର ସ୍ୱରୂପ ଦିଆଯାଇଥିଲା। ମନ୍ଦିର ବାହାରେ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ଼ ଜମିଥିଲା। ମା’ ଚଣ୍ଡୀଙ୍କ ଦର୍ଶନ ସାରି ରାଷ୍ଟ୍ରପତି ଲୋକଙ୍କ ଗହଣକୁ ଆସିଥିଲେ। ସେ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ କରମର୍ଦନ କରିଥିଲେ। ଏହାସହ ରାଷ୍ଟ୍ରପତି ସେଠାରେ ଉପସ୍ଥିତ ପିଲାମାନଙ୍କୁ ଚକଲେଟ ମଧ୍ୟ ବାଣ୍ଟିଥିଲେ।

ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୈଳଵାଳା ମହିଳା ମହାବିଦ୍ୟାଳୟରେ ପହଞ୍ଚିଥିଲେ। ମହାବିଦ୍ୟାଳୟରେ ସେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ସେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଭେଟିଥିଲେ।

ଶୈଳଵାଳା ମହିଳା ମହାବିଦ୍ୟାଳୟ ପରେ ରାଷ୍ଟ୍ରପତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଗସ୍ତ କରିଥିଲେ। ସେଠାରେ ସେ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଥିଲେ। ଏହାସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେ କଟକ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚି ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

ସେହିପରି ରାଷ୍ଟ୍ରପତି ବୁଧବାର କଟକରେ ଓଡ଼ିଶା ହାଇକୋର୍ଟ ଜଷ୍ଟିସ ସଂଗ୍ରହାଳୟ ପରିଦର୍ଶନ କରିବେ। ଏହାପରେ ଅପରାହ୍ଣ ୩ଟା ବେଳେ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଠାରୁ ସେ ଅପରାହ୍ନ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ କଟକ ଗସ୍ତ ସମୟରେ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିରେ ଯେଭଳି କୌଣସି ତ୍ରୁଟି ନଦେଖାଯାଏ ସେ ନେଇ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

Tags: #PresidentDroupadiMurmu #OdishaVisit #CuttackVisit #MaaChandiMandir

 

Comment